Report Card Odisha

| Daily Odia News

ପିଲାଙ୍କ ପାଇଁ ଲାଗୁହେବ ଡିଜିଟାଲ ଆଟେଣ୍ଡାନ୍ସ ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମସ୍ତ ସ୍କୁଲ ଓ କଲେଜ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ପ୍ରକ୍ରିୟା ଜାରି ରହିଛି। ୨୦୧୯ ଶିକ୍ଷାବର୍ଷର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ବିଭାଗ ପକ୍ଷରୁ ସରକାରୀ ସ୍କୁଲଗୁଡିକରେ ଡିଜିଟାଲ-ଆଟେଣ୍ଡାନ୍ସ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଥିବାବେଳେ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ ୨ ପାଇଁ ଲାଗୁ କରାଯିବ। ଏହାଦ୍ୱାରା ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରଙ୍କ ଉପସ୍ଥାନ ରିପୋର୍ଟ ବିଭାଗ ପାଖରେ ରହିବ। ଏହାବ୍ୟତୀତ ଛାତ୍ରୀଛାତ୍ରମାନେ ଦୈନିକ କେତୋଟି କ୍ଲାସ୍‌ରେ ଉପସ୍ଥିତ ରହୁଛନ୍ତି ତାହାର ରିପୋର୍ଟ ମଧ୍ୟ ଅଭିଭାବକଙ୍କୁ ଜଣାଇ ଦିଆଯିବ। ପ୍ରତ୍ୟେକ କ୍ଲାସ ଶେଷ ହେବା ପରେ ଦୈନିକ ବିଭାଗର ପୋର୍ଟାଲରେ ଉପସ୍ଥାନ ରିପୋର୍ଟ ଅପ୍‌ଲୋଡ୍‌ କରାଯିବ | ଯେଉଁଥିରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କ ଦସ୍ତଖତ ରହିବ। ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଅଭିଭାବକଙ୍କ ମୋବାଇଲ୍‌ରେ ପିଲାଙ୍କ ଉପସ୍ଥାନ ରିପୋର୍ଟ ପଠାଯିବ। ପୂର୍ବରୁ ଜୁନିୟର କଲେଜଗୁଡିକରେ ପ୍ରତ୍ୟେକ କ୍ଲାସ୍‌ରେ ଆଟେଣ୍ଡାନ୍ସ ସିଟ୍‌ରେ ପିଲାଙ୍କ ଉପସ୍ଥାନ ନିଆଯାଉଥିବା ବେଳେ ଏଣିକି ଉଭୟ ଆଟେଣ୍ଡାନ୍ସ ସିଟ୍‌ ବ୍ୟତୀତ ମୋବାଇଲରେ ମଧ୍ୟ ପିଲାଙ୍କ ଉପସ୍ଥାନ ଦିଆଯିବ। ପୂର୍ବରୁ ବର୍ଷ ଶେଷକୁ ଉପସ୍ଥାନ ଯାଞ୍ଚ ହେଉଥିବାବେଳେ ଏଣିକି ମାସିକିଆ ଉପସ୍ଥାନ ଅନୁଧ୍ୟାନ କରାଯିବ। ଯେଉଁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଶ୍ରେଣୀରେ ୫୯ ପ୍ରତିଶତରୁ କମ୍‌ ରହିବ ସେମାନେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇବେ। ଏଥିପାଇଁ ପ୍ରତ୍ୟେକ କଲେଜରେ ସ୍ବତନ୍ତ୍ର ସେଲ୍‌ କରାଯିବ | ଯେଉଁଥିରେ କଲେଜର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ। ଏପରିକି ବିଭାଗୀୟ ମନ୍ତ୍ରୀ ଓ ସଚିବ ମଧ୍ୟ ଜୁନିୟର କଲେଜ ପରିଦର୍ଶନରେ ଯିବେ। ତେବେ ଏହି ବ୍ୟବସ୍ଥା ଲାଗି କୌଣସି ଅତିରିକ୍ତ ଖର୍ଚ୍ଚ ବିଭାଗ ପକ୍ଷରୁ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନ ରାଶିରୁ ବ୍ୟୟ କରାଯିବ। ବିଭାଗର ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ ରାଜ୍ୟରେ ଯୁକ୍ତ ୨ ପରୀକ୍ଷାରେ ଭଲ ପ୍ରଦର୍ଶନ ହେଉନାହିଁ। ଅନେକ ଛାତ୍ରୀଛାତ୍ର ଶ୍ରେଣୀରେ ଅନୁପସ୍ଥିତ ରହି ଘରୋଇ ଟ୍ୟୁଶନ ଉପରେ ନିର୍ଭର କରୁଛନ୍ତି। ଏହାବ୍ୟତୀତ ରାଜ୍ୟରେ ପ୍ରାୟ ୫୩ ପ୍ରତିଶତ ଛାତ୍ରୀଛାତ୍ର କଲେଜ ପରିସରରେ ଉପସ୍ଥିତ ରହୁଥିଲେ ମଧ୍ୟ ଶ୍ରେଣୀଗୃହକୁ ଆସୁନାହାନ୍ତି। କଲେଜରେ ପାଠପଢ଼ା ଉପରେ ଅନେକ ସମୟରେ ଅଭିଭାବକମାନେ ପ୍ରଶ୍ନ ଉଠାଇଥାନ୍ତି। ତେବେ ଡିଜିଟାଲ ଆଟେଣ୍ଡାନ୍ସ ପ୍ରଚଳନ ଫଳରେ ଶ୍ରେଣୀରେ ପିଲାଙ୍କ ଉପସ୍ଥାନ ବଢ଼ିବା ସହ ପିଲାଙ୍କ ରେଜଲ୍ଟ ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି।

Breaking News