ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବେ। ଏ ନେଇ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି। ବିଶେଷ କରି ଜାତୀୟ ଗଣମାଧ୍ୟମରେ ମନ୍ତ୍ରୀ ମଣ୍ଡଳରେ କିଏ ଯିବ କିଏ ଆସିବ ସେ ନେଇ ଆଲୋଚନା ଚାଲିଛି। ସେହି ଆଲୋଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ କରିବେ। ଏହାର କାରଣରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଆଯୋଗ୍ୟ ମନ୍ତ୍ରୀଙ୍କୁ ବାହାର କରାଯିବ। ତାଙ୍କ ବଦଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକର ସାଂସଦଙ୍କୁ ମନ୍ତ୍ରୀ କରାଯିବ। ତେବେ ଓଡିଶା ରୁ ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ସେ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ପରବର୍ତ୍ତି ସମୟରେ ସେଥିରୁ ଖସି ଶିକ୍ଷା ବିଭାଗକୁ ଆସିଲେ। ବର୍ତ୍ତମାନ ସେ ପୁରା ମନ୍ତ୍ରୀମଣ୍ଡଳରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ରାଜନୈତିକ ଗୋଟିଚାଳନାକୁ ନେଇ କେନ୍ଦ୍ର ଖୁସି ନଥିବା ଜଣାପଡିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପଦର୍ଶନ ମଧ୍ୟ ଭଲ ନାହିଁ। ସେ ମନ୍ତ୍ରୀ ମଣ୍ଡଳରୁ ବିଦା ନ ହୋଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ରେଳ ବିଭାଗ ବାହାର କରିନିଆଯିବ ବୋଲି କୁହାଯାଉଛି। କାରଣ ବାହାନଗା ରେଳ ଦୁର୍ଘଟଣା ପରେ ସେ ବିବାଦୀୟ ହୋଇପଡିଛନ୍ତି। ତେବେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଯିବା ପରେ ଆଉ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥିରେ ଦୁଇ ଜଣଙ୍କ ନାମ ବେଶ ଚର୍ଚ୍ଚାକୁ ଆସୁଛି। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଏହି ଦୁଇଜଣଙ୍କ ମଧ୍ୟରୁ ଜୁଏଲଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି। ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ନୂଆ ଭାବେ ପ୍ରଫୁଲ ପଟେଲ ଏବଂ ଚିରାଗ ପାଶୱାନଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……