Report Card Odisha

| Daily Odia News

ପୋଲିସ ମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୋଲିସର ଲାଠିମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ। ବିହାର ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ବିଜେପି ନେତା। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିମାଡ଼ କରିବା ଆରମ୍ଭ କରିଥିଲା। ଏବେ ସୂଚନା ମିଳୁଛି ଯେ, ପୋଲିସର ଲାଠି ମାଡ଼ରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ପାଟଣାର ଡାକବଙ୍ଗଳା ଛକରେ ପୋଲିସ ଲାଠିମାଡ଼ କରିଥିଲା। ଏହି ଲାଠିମାଡ଼ରେ ଜେହାନାବାଦ ସହରରେ ରହୁଥିବା ବିଜେପିର ସାଧାରଣ ସମ୍ପାଦକ ବିଜୟ କୁମାର ସିଂଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ-ପୋଲିସର ଲାଠିମାଡ଼ରେ ବିଜୟ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ପରେ ବିହାରରେ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିଜେପି ସଭାପତି ଜେପି ନଡ୍ଡା ନୀତୀଶ ସରକାରଙ୍କୁ ଘେରିଛନ୍ତି।ଉଲ୍ଲେଖଯୋଗ୍ୟ, ବିଧାନସଭାରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠିବା ପରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବିଜେପି ସଦସ୍ୟମାନେ ଶାସକ ଦଳ ସହ ମୁହାଁମୁହିଁ ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ, ଏହା ପରେ ଦୁଇ ବିଜେପି ବିଧାୟକଙ୍କୁ ବିଧାନସଭା ଭିତରୁ ବାହାର କରାଯାଇଥିଲା। ପରେ, ରାଲି ଆରମ୍ଭ କରୁଥିବା ବିଜେପି ବିଧାୟକ ତଥା ନେତାମାନଙ୍କ ଉପରେ ପୋଲିସ ଲାଠିମାଡ଼ ଆରମ୍ଭ କରିଥିଲା। ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିମାଡ଼ କରୁଥିବା ବେଳେ ବିଜୟଙ୍କ ଦେହରେ ଲାଠିମାଡ଼ ହେବାରୁ ସେ ଅଚେତ ହୋଇଯାଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Breaking News