Report Card Odisha

| Daily Odia News

‘ଜାଗା ମିସନ୍‌’କୁ ଜାଗା ଅଡ଼ୁଆ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜାଗା ମିସନ୍‌ ବିବାଦ ମୁଣ୍ଡ ଟେକିଛି। ବସ୍ତି କଲ୍ୟାଣ ସଂଘ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟିବା ଯୋଡିବାକୁ ନେଇ ଅଭିଯୋଗ ହେଉଛି। ଜାଗା ମିସନ୍‌ରେ ଆସିଥିବା ଏଭଳି ୪୭ ହଜାର ଅଭିଯୋଗକୁ ନେଇ ବିଏମ୍‌ସି ଛନ୍ଦି ହୋଇପଡ଼ିଥିବା ବେଳେ ନୂଆ ଜାଗା ଅଡ଼ୁଆ ଏହି ମିସନ୍‌ର ବାଟ ଓଗାଳିଛି। ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ଜାଗାରେ ଗଢ଼ି ଉଠିଥିବା ୨୨ଟି ବସ୍ତି‌ରେ ୧୧୩୯ ପରିବାର ଘର କରି ରହୁଛନ୍ତି। ଜାଗା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବାରୁ ବିଏମ୍‌ସି ଏମାନଙ୍କୁ ଜମି ଅଧିକାର ଦେବାରେ ସମସ୍ୟା ଉପୁଜିଛି। ଏହି ନୂଆ ଅଡ଼ୁଆ ବାବଦରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ସବୁ ଜମି ବିଏମ୍‌ସି ନାମରେ କରିଦେଲେ, ଜମି ଅଧିକାର ପ୍ରଦାନ କରାଯିବ ବୋଲି ଦର୍ଶାଇଛନ୍ତି। ଚିଠିକୁ ଆଧାର କରି ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ସମ୍ପୃକ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ଏ ବାବଦରେ ନିଷ୍ପତ୍ତି ନେବାକୁ କହିଛନ୍ତି। କୌତୂହଳର କଥା ହେଉଛି ଅଧିକାଂଶ ଜାଗା ରାସ୍ତା ଓ ନୟନଯୋଡ଼ି ରହିଛି। ଏହି ଜଗା ଯଦି ପୂର୍ତ୍ତ ବିଭାଗ ବିଏମ୍‌ସିକୁ ଦେଇ ଦେଉଛି, ତେବେ ରାସ୍ତା‌ ପାଇଁ ଉଦ୍ଦିଷ୍ଟ ଜାଗାରେ ଘର ହୋଇଯିବ। ଏହାକୁ ନ ଦେଲେ ୧୧୩୯ ପରିବାର ସରକାରଙ୍କ ପାଇଲଟ୍‌ ପ୍ରୋଜେକ୍ଟ ‘ଜାଗା ମିସନ୍‌’ରୁ ବାଦ୍‌ ପଡ଼ିଯିବେ। ଏଣୁ ପୂର୍ତ୍ତ ବିଭାଗ ହରଡ଼ଘଣାରେ ପଡ଼ିଛି। ସମସ୍ତେ ପୂର୍ତ୍ତ ବିଭାଗର ନିଷ୍ପତ୍ତିକୁ ଚାହିଁ ବସିଛନ୍ତି। ଯଦିଓ ଏଥିପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ, ତଥାପି ଅଗଷ୍ଟ ସୁଦ୍ଧା ନିଷ୍ପତ୍ତି ନେବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

 

Breaking News