ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ବିଭିନ୍ନ ଅଦାଲତ ମାନଙ୍କରେ ଗତ ଗୋଟିଏ ବର୍ଷରେ ଆଇନଜୀବୀମାନଙ୍କ ଆନ୍ଦୋଳନକୁ ନେଇ ବାର୍ ଆସୋସିଏସନ ମାନଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ର ବିବରଣୀ ସତ୍ୟପାଠ ଜରିଆରେ ଦୁଇ ସପ୍ତାହ ଭିତରେ ଦାଖଲ କର। ବାର୍ କାଉନସିଲ ଅଫ ଇଣ୍ଡିଆକୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଗତ ବର୍ଷକ ଭିତରେ କେଉଁ ବାର୍ ଆସୋସିଏସନ କେଉଁଠାରେ ଆନ୍ଦୋଳନ ଆହ୍ବାନ କରିଥିଲା ଏବଂ ବିସିଆଇ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତା’ର ବିବରଣୀ ବିସିଆଇକୁ ଦେବାକୁ ପଡ଼ିବ। ସୁପ୍ରିମକୋର୍ଟର ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସୁଧାଂଶୁ ଧୁଲିଆ ଆଜି ‘କମନ କଜ୍’ ଦ୍ବାରା ଦାଖଲ କରାଯାଇଥିବା ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିଥିଲେ। ‘କମନ କଜ୍’ ପକ୍ଷରୁ ଅଭିଯୋଗ କରାଯାଇଥିଲା ବିସିଆଇ ଆଇନଜୀବୀମାନଙ୍କ ଆନ୍ଦୋଳନକୁ ରୋକିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନେଉନାହିଁ। ବିଚାରପତି କୌଲ ଟିପ୍ପଣୀ କରି କହିଥିଲେ, ଯେତେବେଳେ ବି ଓକିଲମାନଙ୍କ ଆନ୍ଦୋଳନ ସଂପର୍କିତ ମାମଲା ନ୍ୟାୟାଳୟଙ୍କ ନିକଟକୁ ଆସୁଛି ଏଥିରେ ସୁପ୍ରିମକୋର୍ଟକୁ ହସ୍ତକ୍ଷେପ କରିବା ସହ ଏହାର ସମାଧାନ ପାଇଁ ଆଦେଶ ଜାରି କରିବାକୁ ପଡ଼ୁଛି। ଏହି ଅବସରରେ ଜଷ୍ଟିସ କୌଲ ଗତବର୍ଷ ଓଡ଼ିଶାର ଆଇନଜୀବୀମାନଙ୍କ ଆନ୍ଦୋଳନ ମାମଲା ଉଲ୍ଲେଖ କରିବା ସହିତ ଆଇନଜୀବୀମାନେ ହିଂସାରେ ସାମିଲ ହୋଇଥିଲେ ବୋଲି ମୌଖିକ ଟିପ୍ପଣୀ କରିଥିଲେ। ବିଚାରପତି କୌଲ ଆହୁରି ମଧ୍ୟ କହିଥିଲେ ଯଦି କୌଣସି ନିଷ୍ପତ୍ତିରେ ବାର୍ ଆସୋସିଏସନ ଅସହମତ ହୁଅନ୍ତି ସେମାନେ ରିଜଲ୍ୟୁସନ ପାରିତ କରିପାରିବେ, ହେଲେ କୋର୍ଟ କାର୍ଯ୍ୟକୁ ଠପ୍ କରିଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଉଲ୍ଲେଖଯୋଗ୍ୟ,ଚଳିତ ବର୍ଷ ଏପ୍ରିଲ ମାସରେ ସୁପ୍ରିମକୋର୍ଟ ହାଇକୋର୍ଟମାନଙ୍କୁ ଆଇନଜୀବୀମାନଙ୍କ ଅନ୍ଦୋଳନ ଓ କୋର୍ଟ ବର୍ଜନ ପ୍ରସଙ୍ଗରେ ଗ୍ରିଭାନ୍ସ କମିଟି ଗଠନ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..