Report Card Odisha

| Daily Odia News

ଲାଞ୍ଚ ନେବା ବେଳେ ୫୦୦୦ ଟଙ୍କା ଗିଳି ଦେଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶର କଟନୀରେ ରାଜସ୍ବ ବିଭାଗର ଜଣେ ‘ପଟୱାରି’ ଲାଞ୍ଚ ଅର୍ଥକୁ ଚୋବାଇ ଗିଳିଦେଇଛନ୍ତି | ‘ଜବଲପୁର ଲୋକାୟୁକ୍ତ’ର ‘ସ୍ପେସାଲ୍‌ ପୋଲିସ ଇଷ୍ଟାବ୍ଲିସ୍‌ମେଣ୍ଟ୍‌’ ଦ୍ବାରା ଧରାପଡ଼ିଯିବାରୁ ‘ପଟୱାରି’ଗଜେନ୍ଦ୍ର ସିଂହ ଲାଞ୍ଚ ଅର୍ଥକୁ ଗିଳିଦେଇଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁସରେ- ଜମି ମାମଲାରେ ‘ପଟୱାରି’ ଗଜେନ୍ଦ୍ର ସିଂହ ଅଭିଯୋଗକାରୀ ଚନ୍ଦନ ସିଂହ ଲୋଧିଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲୋଧି ଏ ବିଷୟ ଜବଲପୁର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କଲେ। ଆବଶ୍ୟକ ତଦନ୍ତ ପରେ ଜବଲପୁର ଲୋକାୟୁକ୍ତ ଟିମ୍‌ ବିଲ୍‌ହାରିସ୍ଥିତ ‘ପଟୱାରି’ ଗଜେନ୍ଦ୍ର ସିଂହଙ୍କ ବ୍ୟକ୍ତିଗତ ଅଫିସ୍‌ରେ ପହଞ୍ଚି ୪,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲେ। ଗିରଫ ହେବାକ୍ଷଣି ‘ପଟୱାରି’ ସିଂହ ଗ୍ରହଣ କରିଥିବା ଲାଞ୍ଚ ଟଙ୍କାତକ ତୁରନ୍ତ ଚୋବାଇ ଗିଳି ପକାଇଲେ। ତା’ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଗଲା। ବହୁ ଉଦ୍ୟମ ପରେ ଶେଷରେ ତାଙ୍କ ମୁହଁରୁ ବତୁରି ଯାଇ ଅର୍ଦ୍ଧ-ତରଳ ହୋଇଯାଇଥିବା ନୋଟ୍‌ ଟୁକୁରା ସବୁ ବାହାର କରାଗଲା। ‘ଏସ୍‌ପିଇ’ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସଞ୍ଜୟ ସାହୁ କହିଛନ୍ତି, ସିଂହ ଲାଞ୍ଚ ମାଗୁଛନ୍ତି ବୋଲି ବାରଖେଦା ଗାଁର ଜଣେ ବ୍ୟକ୍ତି ଆସି ଆମ ନିକଟରେ ଅଭିଯୋଗ କରିଥିଲେ। ଲାଞ୍ଚ ଗ୍ରହଣ କରିବା ପରେ ‘ପଟୱାରି’ ସିଂହ ‘ଏସ୍‌ପିଇ’ ଟିମ୍‌କୁ ଦେଖି ନୋଟ୍‌ ତକ ଚୋବାଇ ଗିଳି ପକାଇଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଗଲା ଓ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କଥା ଡାକ୍ତରମାନେ କହିଛନ୍ତି। ‘ପଟୱାରି’ ସିଂହଙ୍କ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ।

Breaking News