Report Card Odisha

| Daily Odia News

ED ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାର କଲେ ଆବେଦନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବର୍ତ୍ତନ ନିର୍ଦେଶାଳୟର ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଇବା ପାଇଁ ଆଜି ପୁଣି ଥରେ କେନ୍ଦ୍ର ସରକାର ସୁପ୍ରିମ୍‌ କ‌ୋର୍ଟରେ ସାନି ଆବେଦନ କରିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର୍‌-ଜେନେରାଲ୍‌ ତୁଷାର ମେହେଟ୍ଟା ବିଚାରପତି ଗାଭାଇଙ୍କ ନେତୃତ୍ବାଧୀନ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠଙ୍କୁ ନିବେଦନ କରି ଏହି ଆବେଦନର ଶୁଣାଣି କରିବାକୁ କହିଛନ୍ତି। ଅଦାଲତଙ୍କୁ ମେହେଟ୍ଟା କହିଛନ୍ତି କି ମୁଁ ଏକ ‘ମିସ୍‌ଲେନିୟସ୍‌ ଆପ୍ଲିକେସନ୍‌’ ସର୍କ୍ୟୁଲେଟ୍‌ କରୁଛି। ସେଥିରେ କରାଯାଇଥିବା ନିବେଦନ ଶୁକ୍ରବାର ପୂର୍ବରୁ ଶୁଣାଣି କରିବା ଲାଗି ଅନୁରୋଧ କରୁଛି। ଗୁରୁବାର ଏହି ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ରାଜି ହୋଇଛନ୍ତି। ଏହା ପୂର୍ବରୁ ଜୁଲାଇ ୧୧ ତାରିଖ ଦିନ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ୩ୟ ଥର ବୃଦ୍ଧି କରିବା ବେଆଇନ |  ୨୦୨୧ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟର ଉଲ୍ଲଂଘନ ହେବ। କିନ୍ତୁ ଦାୟିତ୍ବ ହସ୍ତାନ୍ତରରେ ସୁବିଧା ହେବ ବୋଲି ବିଚାର କରି ସର୍ବୋଚ୍ଚ ଅଦାଲତ ମିଶ୍ରାଙ୍କୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ‘ଇଡି’ର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ। ସୂଚନାଯୋଗ୍ୟ, ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୧୯୮୪-ବ୍ୟାଚ୍‌ ‘ଆଇଆର୍‌ଏସ୍‌’ ଅଫିସର୍‌ ମିଶ୍ରା ୨୦୨୩ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ‘ଇଡି’ର ମୁଖ୍ୟ ଭାବେ କାର୍ଯ୍ୟ କରିଥାଆନ୍ତେ। କିନ୍ତୁ, ୨୦୧୮ ନଭେମ୍ବର ମାସରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟ ଭାବରେ ନିଯୁକ୍ତି ପାଇଥିବା ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଇବା କଥାକୁ ନେଇ କେନ୍ଦ୍ର ସରକାର ଦୀର୍ଘ ଦିନ ହେବ ରାଜନୈତିକ ବିବାଦର ସମ୍ମୁଖୀନ ହୋଇଛନ୍ତି। ନିଯୁକ୍ତି ପତ୍ର ଅନୁସାରେ, ୬୦ ବର୍ଷ ବୟସ ହୋଇଯାଇଥିବାରୁ ମିଶ୍ରା ୨ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିବା କଥା। କିନ୍ତୁ, ୨୦୨୦ ନଭେମ୍ବର ମାସରେ କେନ୍ଦ୍ର ସରକାର ଉକ୍ତ ନିଯୁକ୍ତି ଆଦେଶକୁ ସଂଶୋଧନ କରି ତାଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ ବୃଦ୍ଧି କରିଥିଲେ।

Breaking News