Report Card Odisha

| Daily Odia News

ମଣିପୁର ସ୍ଥିତି ପରଖିଲେ ଇ.ଣ୍ଡି.ଆ ସାଂସଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରାୟ ୩ ମାସ ହେଲା ହିଂସା ଦ୍ୱାରା ପ୍ରଭାବିତ ହୋଇ ଚାଲିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଦିବାଦୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ଏସବୁ ଭିତରେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ଶନିବାର ଓ ରବିବାର ମଣିପୁର ଯାଇ ସ୍ଥିତି ପରଖିଛନ୍ତି। ତୃଣମୂଳସ୍ତରରେ ସ୍ଥିତି ପରଖିବା ପରେ ସେମାନେ ରାଜ୍ୟପାଳ ଅନୁସୂୟା ଉଇକିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏହାକୁ ରୋକିବାକୁ ସରକାର କୌଣସି ପ୍ରକାରର ଉପଯୁକ୍ତ ପଦକ୍ଷେପ ନେଇ ନାହାନ୍ତି। ୩ ମାସ ହେଲା ଅଶାନ୍ତ ହୋଇ ରହିଥିବା ମଣିପୁରରେ ଯଦି ଶୀଘ୍ର ଶାନ୍ତି ନ ଫେରିବ, ତା’ହେଲେ ଏହା ଦେଶର ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ ବୋଲି ବିରୋଧୀ ମେଣ୍ଟର ସାଂସଦମାନେ ଆଶଙ୍କା କରିଛନ୍ତି। ମଣିପୁର ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସେଠାକୁ ଫେରିବା ପରେ କହିଛନ୍ତି ଯେ “ମଣିପୁରର ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ରହିଛି। ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ମଣିପୁର ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି। ହଜାର ହଜାର ଲୋକ ହିଂସା ଯୋଗୁ ବେଘର ହୋଇଯାଇଛନ୍ତି। ସେମାନେ ନଜ ଘରକୁ ଫେରିପାରିବେ କି ନାହିଁ, ସେହି ଆଶଙ୍କାରେ ରହିଛନ୍ତି। ସ୍ଥିତି ବହୁତ ଖରାପ। କୁକି ଓ ମୈତୈ ସଂପ୍ରଦାୟ ମଧ୍ୟରେ ଥିବା ମତପାର୍ଥକ୍ୟକୁ କେମିତି ସମାଧାନ କରାଯିବ? କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ବି ବିବାଦର ସମାଧାନ କରିବାକୁ ଉପଯୁକ୍ତ ପଦକ୍ଷେପ ନେଇ ନାହାନ୍ତି। ରୋମ ଜଳିବା ବେଳେ ନିରୋ ବଂଶୀ ବଜାଉଥିଲେ। ଏବେ ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବଂଶୀ ବଜାଉଛନ୍ତି। ସେ ଚୁପ ରହି ସ୍ଥିତିକୁ ଆହୁରି ଜଟିଳ କରି ଦେଇଛନ୍ତି।” ଟିଏମସିର ସାଂସଦ ସୁସ୍ମିତା ଦେବ କହିଛନ୍ତି, “ମୋତେ ଲାଗୁଛି ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ସଂପୂର୍ଣ୍ଣ ଭାବେ ଶେଷ ହୋଇଗଲାଣି। ମଣିପୁରବାସୀ ଆଉ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ନାହାନ୍ତି।”

 

Breaking News