ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାତ୍ୟା ‘ଡୋକ୍ସୁରି’ ପ୍ରଭାବ ଯୋଗୁଁ ଗତ ଅଳ୍ପ କେତେ ଦିନ ହେବ ଚୀନ୍ର ରାଜଧାନୀ ବେଜିଙ୍ଗ୍ରେ ଯେଉଁ ପରିମାଣରେ ବର୍ଷା ହୋଇଛି, ତାହା ଅନ୍ୟୂନ ୧୪୦ ବର୍ଷ ମଧ୍ୟରେ ହୋଇ ନ ଥିଲା ବୋଲି ‘ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି। ବର୍ଷା ପାଣିରେ ରାସ୍ତାଘାଟ ସବୁ କେନାଲ୍ ପାଲଟି ଯିବାରୁ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ଟିମ୍ ‘ରବର୍ ବୋଟ୍’ ବ୍ୟବହାର କରିଥିଲେ। ଶନିବାରରୁ ବୁଧବାର ସୁଦ୍ଧା ବେଜିଙ୍ଗ୍ରେ ୭୪୪.୮ ମିଲିମିଟର୍ ବା ୨୦.୩ ଇଞ୍ଚ୍ ବର୍ଷା ରେକର୍ଡ କରାଯାଇଥିବା କଥା ‘ବେଜିଙ୍ଗ୍ ମେଟେଓରୋଲୋଜିକାଲ୍ ବ୍ୟୁରୋ’ ବୁଧବାର ଦିନ କହିଛି। ଏହା ପୂର୍ବରୁ ୧୮୮୩ ମସିହାରେ ବେଜିଙ୍ଗ୍ରେ ୬୦୯ ମିଲିଲିଟର୍ ବା ୨୪ ଇଞ୍ଚ୍ ବର୍ଷା ହୋଇଥିବା ରେକର୍ଡ ରହିଛି। ରେକର୍ଡ ପରିମାଣର ବୃଷ୍ଟିପାତ ଯୋଗୁଁ ଜଳସ୍ତର ବିପଦ ସଙ୍କେତ ନିକଟବର୍ତ୍ତୀ ହୋଇ ବେଜିଙ୍ଗ୍ ଓ ଚତୁଃପାର୍ଶ୍ବସ୍ଥ ହେବେଇ ପ୍ରଦେଶରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ବର୍ଷାଯୋଗୁଁ ରାସ୍ତା ଧୋଇଯିବା ସହିତ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଭୀଷଣ ବର୍ଷା ଯୋଗୁଁ ବେଜିଙ୍ଗ୍ରେ ୨୧ଜଣଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ଦିନ ଜଣେ ଉଦ୍ଧାରକାରୀ ସୁନିଶ୍ଚିତ କରି କହିଛନ୍ତି। ଆଉ ୨୬ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା କଥା ମଧ୍ୟ ସେ କହିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..