ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଆଜି ପୋଲିସ ଡିଜି ନିଲମ୍ବନ କରିଛନ୍ତି | ଏକ ମାମଲାର ରଫାଦଫା କରିବାକୁ ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ | ସୂଚନା ଅନୁସାରେ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଘଟଣାଟି ବୋଲି ଜଣାପଡିଛି | ମହେଶ୍ବର ଏସ୍. ତୋଟାଗୁଡା ଗ୍ରାମର ବିରଞ୍ଚି ଖୋସଲାଙ୍କ ନିକଟରୁ ୨୦ ହଜାର ଟଙ୍କା ବାକି ଆଣିଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତକୁ ନେଇ ବିରଞ୍ଚି ଓ ମହେଶ୍ବରଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ହେବା ପରେ ମାମଲା ଦଶମନ୍ତପୁର ଥାନାରେ ପହଞ୍ଚିଥିଲା। ଟଙ୍କା ଫେରି ନ ପାଇବାରୁ ବିରଞ୍ଚି ଦଶମନ୍ତପୁର ଥାନାରେ ମହେଶ୍ବରଙ୍କ ନାମରେ ଅଭିଯୋଗ କରିଥିଲେ।ଦଶମନ୍ତପୁର ପୋଲିସ ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଥାନାକୁ ଡକାଇ ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। କାର୍ଯ୍ୟାନୁଷ୍ଠାନ ବଦଳରେ ମାମଲାକୁ ରଫାଦଫା କରିବାକୁ ଦଶମନ୍ତପୁର ପୋଲିସ ବିରଞ୍ଚିଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ପୋଲିସ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଆଜି ବାକି ୮ ହଜାର ଟଙ୍କା ଦେବାକୁ ଥାନାକୁ ଯାଇଥିଲେ ବିରଞ୍ଚି। ଏହା ପୂର୍ବରୁ ଜୟପୁର ଭିଜିଲାନ୍ସ ଟିମ୍କୁ ଅବଗତ କରିଥିଲେ ବିରଞ୍ଚି। ଭିଜିଲାନ୍ସ ଟିମ୍ ଥାନା ପାଖରେ ଗୁପ୍ତରେ ରହିଥିବା ବେଳେ ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ମହିଳା ଏଏସ୍ଆଇ ଦୀପ୍ତି ହୀରା ବିରଞ୍ଚିଙ୍କ ନିକଟରୁ ୮ ହଜାର ଟଙ୍କା ଗ୍ରହଣ କରିଥିଲେ। ଦୀପ୍ତି ଟଙ୍କା ନେବା କ୍ଷଣି ଭିଜିଲାନ୍ସ ଟିମ୍ ଚଢ଼ଉ କରି ୮ ହଜାର ଟଙ୍କା ସହ ଉଭୟ ଅଧିକାରୀଙ୍କୁ କାବୁ କରିଥିଲେ। ଆଉ ଏବେ ଚନ୍ଦ୍ରଭାନୁଙ୍କ ବିରୋଧରେ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି |






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..