Report Card Odisha

| Daily Odia News

ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ, ଆସିଲା ବିଲ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ପ୍ୟାନେଲର କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାମୁତାବକ ନିଯୁକ୍ତି ଦେଇପାରିବେ।ପ୍ରଧାନମନ୍ତ୍ରୀ,ବିରୋଧୀ ଦଳ ନେତା ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବେ। ଏପରି ଏକ ବିଲ୍‌ କେନ୍ଦ୍ର ସରକାର ଆଣିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟି ୩ ସଦସ୍ୟ ବିଶିଷ୍ଟ ହୋଇଥାଏ। ଏହି କମିଟିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି। ହେଲେ ସିଜେଆଇଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ଏହାକୁ ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ଆଗତ ମଧ୍ୟ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖ ଯୋଗ୍ୟ-ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ମାମଲାର ଶୁଣାଣି କରିଥିଲେ। ଏହାପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗଠିତ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ରାୟ ଶୁଣାଇଥିଲେ। ମାତ୍ର କେନ୍ଦ୍ର ସରକାର ବିଲ୍‌ ଜରିଆରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଉକ୍ତ ବିଲ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି ଯେ ଏହି କମିଟିରେ ଏକ ପଦ କୌଣସି କାରଣରୁ ଖାଲିଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ। ଏହି କମିଟି ନିଜ ରାୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ଓ ରାଷ୍ଟ୍ରପତି ଏହା ଉପରେ ମୋହର ମାରିବେ। ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଅବସର ଗ୍ରହଣ କରିବେ। ଏହାପରେ ଏହି କମିଟି ଉକ୍ତ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛି ନିଯୁକ୍ତି ଦେବ। ଏହାଦ୍ୱାରା ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତିରେ କେତେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ପାରିବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋରଧରିଛି |

 

Breaking News