ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାର ନୂହ୍ଠାରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ପାଇଁ ସୁପ୍ରିମକୋର୍ଟ ପୁନର୍ବାର ଘୃଣ୍ୟ ମନ୍ତବ୍ୟକୁ ଦାୟୀ କରିଛନ୍ତି। ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟର ପ୍ରଚାର ଯୋଗୁଁ ମଣିପୁରରେ ହିଂସାକାଣ୍ଡ ଘଟିଛି। ଏମିତିକି ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ବାସନ୍ଦ ପାଇଁ ଆହ୍ବାନ ଦିଆଯାଉଛି। ଏହା କୌଣସି ପରିସ୍ଥିତିରେ ବା କାହାଦ୍ବାରା ଗ୍ରହଣୀୟ ନୁହେଁ। କେବଳ ହରିୟାଣା ନୁହେଁ ବିଭିନ୍ନ ରାଜ୍ୟରେ ସାମାଜିକ ଗଣମାଧ୍ୟମରେ ଓ ଶୋଭାଯାତ୍ରା ମାଧ୍ୟମରେ ବେଲଗାମ ଘୃଣ୍ୟ ମନ୍ତବ୍ୟର ପ୍ରସାର ହିଁ ହିଂସାର କାରଣ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି। ଶୁକ୍ରବାର ଏ ସମ୍ପର୍କିତ ମାମଲାର ଶୁଣାଣିବେଳେ ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଏସ୍ଭିଏନ୍ ଭଟ୍ଟିଙ୍କ ପୀଠ ନୂହ୍ରେ ସାମ୍ପ୍ରଦାୟିକ ସଦ୍ଭାବ ଫେରାଇ ଆଣିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦେଶକ (ଡିଜିପି)ଙ୍କୁ ନିର୍ଦେଶ ଦେଇଛନ୍ତି। ଡିଜିପିଙ୍କ ନେତୃତ୍ବରେ ଏକ ତିନି ବା ୪ଜଣିଆ କମିଟି ଗଠନ ପାଇଁ ପୀଠ ନିର୍ଦେଶ ଦେଇଛନ୍ତି। ଉକ୍ତ କମିଟି ହିଂସାକାଣ୍ଡର ମୂଳ କାରଣ ଖୋଜିବା ସହ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା ଉଦ୍ୟମ କରିବେ ଏବଂ ପୁଲିସ ସମ୍ବେଦନଶୀଳ ହେବା ଉଚିତ ବୋଲି ପୀଠ କହିଛନ୍ତି । ଆସନ୍ତା ୧୮ ତାରିଖ ସୁଦ୍ଧା ଏ ସମ୍ପର୍କିତ ଅଗ୍ରଗତି ପୀଠକୁ ଜଣାଇବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଏଥିସହିତ ଆବେଦନକାରୀ ସାମ୍ବାଦିକ ସାହିନ ଅବଦୁଲ୍ଲାଙ୍କୁ ସମସ୍ତ ତଥ୍ୟ ପ୍ରମାଣର ଭିଡିଓ ତଥା ଦସ୍ତାବିଜ୍ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଅଗଷ୍ଟ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….