ରିପୋର୍ଟ କାର୍ଡ / ପୁରୀ
ଦୁଇଦିନିଆ ପୁରୀ ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ପିପିଲିରେ ଜନସାଧାରଣଙ୍କ ସୁଖ ଦୁଃଖ ବୁଝିବା ସହ ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଯାହା ଆବଶ୍ୟକ ଅଛି ସେନେଇ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହ ମଧ୍ୟରେ ଖୁସି ଖବର ଶୁଣାଇବେ ବୋଲି ପାଣ୍ଡିଆନ ପିପିଲିର ଚାନ୍ଦୁଆ କାରିଗର, ଶିଳ୍ପୀ ଓ ବ୍ୟବସାୟୀଙ୍କୁ ପ୍ରତିଶୃତି ଦେଇଛନ୍ତି। ପାନୀୟ ଜଳ ସଂପର୍କିତ ଅଭିଯୋଗର ସମାଧାନ ୨୪ଘଣ୍ଟା ମଧ୍ୟରେ କରାଯିବ ବୋଲି କହିଥିଲେ। ଆଜି ପାଣ୍ଡିଆନ କାର୍ ଯୋଗେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନଠାରେ ପହଞ୍ଚିବା ପରେ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ନିର୍ମିତ ଅସ୍ଥାୟୀ ସଭାସ୍ଥଳରେ ଉପସ୍ଥିତ ୮ହଜାରରୁ ଊର୍ଦ୍ଧ୍ବ ମିଶନଶକ୍ତି ମହିଳାଙ୍କ ସମେତ ଜନସାଧାରଣଙ୍କ ନିକଟକୁ ସେ ନିଜେ ଯାଇ ସେମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କଠାରୁ ଅଭିଯୋଗ ଓ ଦାବିପତ୍ରକୁ ଗ୍ରହଣ କରିଥିଲେ। ଅଞ୍ଚଳରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଇତ୍ୟାଦିର ଉନ୍ନତିକରଣ ନିମନ୍ତେ ଦିଆଯାଇଥିବା ଦାବିପତ୍ରର ସମାଧାନ କରାଯାଇ ୭ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସିଖବର ଶୁଣାଇବେ ସେ ସଭାମଞ୍ଚରେ କହିଥିଲେ। ମା’ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଉଛନ୍ତି। ସେହି ଅନୁସାରେ ମା’ମାନେ ଅଧିକ ସଜାଗ ହୋଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ମହିଳାମାନଙ୍କ ବିକାଶରେ ରାଜ୍ୟର ବିକାଶ ସମ୍ଭବ ହେବାର ଚିନ୍ତା କରି ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିନାସୁଧରେ ୫ଲକ୍ଷ ଟଙ୍କା ଋଣ ଘୋଷଣା କରିଥିବାର ସେ କହିଥିଲେ। ବିଭିନ୍ନ ସ୍ଥାନରେ ଥିବା ଅବ୍ୟବହୃତ ସରକାରୀ ଗୃହକୁ ଆବଶ୍ୟକ ମରାମତି କରାଯାଇ ସେଗୁଡିକୁ ମିଶନଶକ୍ତିର ମହିଳାଙ୍କ ବ୍ୟବହାର ତଥା ବ୍ୟବସାୟ, ତାଲିମ ଆଦି କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..