ରିପୋର୍ଟ କାର୍ଡ / ଭୁବନେଶ୍ବର
ଜାଗା ମିସନ୍କୁ ନେଇ ବିବାଦ ଲାଗିରହିଥିବା ବେଳେ ଆସନ୍ତା ୨୫ ତାରିଖରେ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ପାଇଁ ଯୋଜନା ହୋଇଛି। କଳିଙ୍ଗ ଷ୍ଟାଡିୟମ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ଏହି ପ୍ରମାଣପତ୍ର ବାଣ୍ଟିବେ। ଏହା ଉପରେ ଶନିବାର କମିସନର ସମୀକ୍ଷା କରି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ଯେଭଳି କିଛି ବିଭ୍ରାଟ ନ ହୁଏ, ସେଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଜାଗା ମିସନରେ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍ଆର୍ସି) ଦେବା ପାଇଁ ସର୍ଭେ ହେବା ବେଳେ ଶାସକ ବିଜେଡି ପକ୍ଷପାତିତା କରି ଦଳୀୟ ଆଧାରର ସର୍ଭେ କାର୍ଯ୍ୟ କରୁଥିବାରୁ ବହୁ ଯୋଗ୍ୟ ବାସିନ୍ଦା ମିସନ୍ରୁ ବଂଚିତ ହେଉଥିବା ବିଜେପି ଅଭିଯୋଗ କରିଥିଲା। ବସ୍ତି ବାସିନ୍ଦା ସଂଘ (ଏସ୍ଡିଏ) ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟି ଅଯୋଗ୍ୟଙ୍କୁ ଯୋଡ଼ି ଦେଉଥିବା ଅଭିଯୋଗ ହୋଇଥିଲା। ବିଏମ୍ସି ତର୍ଜମା କରି ପ୍ରମାଣ ପାଇବା ପରେ କେତେକ ଏସ୍ଡିଏଙ୍କୁ ନୋଟିସ୍ କରିଥିଲା। ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନଥିଲା। ବିଏମ୍ସିକୁ ଏ ବାବଦରେ ପ୍ରାୟ ୪୭ ହଜାର ଅଭିଯୋଗ ଆସିଥିଲା। ପୂର୍ତ୍ତ ବିଭାଗ ଜାଗାରେ ଥିବା ୨୨ଟି ବସ୍ତି ଗଢ଼ି ଉଠିଥିଲା। ଏହି ୨୨ ଏକର ଜମି ପୂର୍ତ୍ତ ବିଭାଗ ଅଧୀନରେ ରହିଥିବାରୁ ବିଏମ୍ସି ଏମାନଙ୍କୁ ଜମି ଅଧିକାର ଦେଇ ପାରୁନଥିଲା। ଏହି ଜମିକୁ ବିଏମ୍ସିକୁ ହସ୍ତାନ୍ତର କରିବା ପାଇଁ କମିସନର ସରକାରଙ୍କୁ ଚିଠି ଲେଖିଥିଲେ। ଏହି ସବୁ ଜମି ବିଏମ୍ସି ନାମରେ କରିଦେଲେ, ଜମି ଅଧିକାର ପ୍ରଦାନ କରାଯିବ ବୋଲି ଚିଠିରେ ଦର୍ଶାଇଥିଲେ। ଚିଠିକୁ ଆଧାର କରି ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ସମ୍ପୃକ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ଏ ବାବଦରେ ନିଷ୍ପତ୍ତି ନେବାକୁ କହିଥିଲେ ମଧ୍ୟ ଏ ଯାବତ୍ ଜମି ବିଏମ୍ସିକୁ ଆସିନାହିଁ। ଏଣୁ ଏହି ୨୨ ବସ୍ତିର ୧୧୩୯ ପରିବାର କେମିତି ପ୍ରମାଣପତ୍ର ପାଇବେ, ସେନେଇ ପ୍ରଶ୍ନ ଉଠିଛି। ଏମାନଙ୍କୁ ବାଦ୍ ଦେଇ ଅନ୍ୟମାନଙ୍କୁ ବାଣ୍ଟିଲେ ବିରୋଧ ହେବାର ଆଶଙ୍କା ଥିବାରୁ ବିଏମ୍ସି ଚିନ୍ତାରେ ପଡ଼ିଛି। ସେହିଭଳି କେତେକ ଜାଗାରେ ଡ୍ରୋନ୍ ଉଡ଼ିପାରିନଥିବାରୁ ଘର ଘର ବୁଲି ସର୍ଭେ ହୋଇଛି। ସେଥିରେ ମଧ୍ୟ ବିବାଦ ରହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..