Report Card Odisha

| Daily Odia News

ଠିକାରେ ନିଯୁକ୍ତି ହେବେ ପ୍ରାଥମିକ ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁଣିଥରେ ‘ଠିକା ଶିକ୍ଷକ ନିଯୁକ୍ତି’ ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ରାଜ୍ୟରୁ ଠିକା ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା | ୧୦ ମାସ ପରେ ପୁଣିଥରେ ‘ଠିକା ଶିକ୍ଷକ ନିଯୁକ୍ତି’ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି | ନ୍ୟାସନାଲ କାଉନସିଲ୍ ଅଫ ଟିଚର୍ସ ଏଜୁକେସନ ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ତାରିଖର ରାୟକୁ ଆଳ ଦେଖାଇ ରାଜ୍ୟ ସରକାର ଜିଲ୍ଲାସ୍ତରରେ ପ୍ରାଥମିକ ସ୍କୁଲଗୁଡ଼ିକରେ ଠିକାରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛି । ଜୁନିୟର ଟିଚର୍ସ ବା କନିଷ୍ଠ ଶିକ୍ଷକ ନାଁରେ ପ୍ରଥମରୁ ପଂଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ସ୍କୁଲଗୁଡ଼ିକରେ ‘ସମଗ୍ର ଶିକ୍ଷା ଯୋଜନା’ଏହି ଶିକ୍ଷକମାନେ ଠିକାରେ ନିଯୁକ୍ତି ପାଇବେ । ଅନ୍ୟପକ୍ଷରେ ବିଭାଗ ଏହି ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ପ୍ରାୟ ୨୦ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷାର ସମସ୍ତ ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଜୁନିୟର ଟିଚର୍ସ(ସ୍କିମେଟିକ୍)ମାନେ(ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ମଧ୍ୟ ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ସମଗ୍ର ଶିକ୍ଷା ଯୋଜନାରେ ଜିଲ୍ଲା ପରିଷଦଗୁଡ଼ିକ ଦ୍ୱାରା ନିଯୁକ୍ତି ପାଇବେ । ୧୮ରୁ ୩୮ବର୍ଷ ବୟସ(ଅନୁସୂଚିତ ଜାତି-ଜନଜାତିଙ୍କ ପାଇଁ ଅଧିକ ୫ବର୍ଷ କୋହଳ , ଭିନ୍ନକ୍ଷମଙ୍କ ପାଇଁ ଅତିରିକ୍ତ ୧୦ବର୍ଷ କୋହଳ)ର ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଏହି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ । ପ୍ରଥମରୁ ପଂଚମ ଶ୍ରେଣୀ ନିମନ୍ତେ ପ୍ରାର୍ଥୀଙ୍କୁ ନିଶ୍ଚିତ ଭାବେ ଯୁକ୍ତ ଦୁଇ ପରୀକ୍ଷାରେ ୫୦% ମାର୍କ ସହ ଏଲିମେଣ୍ଟାରୀ ଏଜୁକେସନରେ ୨ବର୍ଷର ଡିପ୍ଲୋମା କିମ୍ବା ଗ୍ରାଜୁଏସନ ଓ ଦୁଇବର୍ଷର ଡିପ୍ଲୋମା ପାସ୍ କରିଥିଲେ । ସମ୍ପୃକ୍ତ ପ୍ରାର୍ଥୀ ଓଟିଇଟି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ମାତୃଭାଷା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ରହିଥିବା ଜରୁରୀ । ସେହିପରି ପଂଚମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ଗ୍ରାଜୁଏସନ୍ ସହ ୨ବର୍ଷିଆ ଏଲିମେଂଟାରୀ ଶିକ୍ଷାରେ ଡିପ୍ଲୋମା, ଅବା ଗ୍ରାଜୁଏସନରେ ୫୦% ମାର୍କ ସହ ବିଇଡିରେ କୃତକାର୍ଯ୍ୟ ହୋଇଥିବା ଜରୁରୀ । ସମ୍ପୃକ୍ତ ପ୍ରାର୍ଥୀ ଓଟିଇଟି ପରୀକ୍ଷାରେ ପାସ୍ ସହ ନିଜର ମାତୃଭାଷା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ରହିଥିବା ଜରୁରୀ । ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ଶିକ୍ଷକ ପଦବୀ ନିମନ୍ତେ ଅନଲାଇନରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବାକୁ ପଡ଼ିବ । ଆଉ ପ୍ରାର୍ଥୀମାନଙ୍କ ମେରିଟ୍ ଲିଷ୍ଟ ବିଭିନ୍ନ ବର୍ଗୱାରି ଜିଲ୍ଲାସ୍ତରରେ ପ୍ରକାଶ ପାଇବ ।

Breaking News