Report Card Odisha

| Daily Odia News

ସ୍କୁଲ-ସରକାରୀ ଅଫିସ ଛୁଟି ଘୋଷଣା କଲେ ସରକାର !…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ ଓ ସରକାରୀ ଅଫିସ ସେପ୍ଟମ୍ବର ୮, ୯ ଓ ୧୦ ତାରିଖରେ ବନ୍ଦ ରହିବ। ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘୋଷଣା କରିଛନ୍ତି। କେବଳ ସରକାରୀ ଅଫିସ କିମ୍ବା ସ୍କୁଲ ନୁହେଁ, ନୂଆଦିଲ୍ଲୀ ଜିଲ୍ଲାର ନିୟନ୍ତ୍ରଣ ଜୋନ ମଧ୍ୟରେ ଆସୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ମାର୍କେଟ ମଧ୍ୟ ଏହି ୩ ଦିନ ବନ୍ଦ ରହିବ। ଭିଡ଼ ଓ ସୁରକ୍ଷା ଦୃଷ୍ଟିରୁ ୩ ଦିନ ଛୁଟି ପ୍ରସ୍ତାବ ପ୍ରଥମେ ପୋଲିସ ପକ୍ଷରୁ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ଦିଆଯାଇଥିଲା। ସେ ଏହାର ମଞ୍ଜୁରୀ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଖକୁ ପଠାଇଥିଲେ। ଆଜି ଏହି ପ୍ରସ୍ତାବ ଅନୁଯାୟୀ, କେଜ୍ରିୱାଲ ସେପ୍ଟେମ୍ବର ୮, ୯ ଓ ୧୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଦିଲ୍ଲୀ ପୋଲିସ ଅଗଷ୍ଟ ୧୮ରେ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କୁ ପ୍ରସ୍ତାବ ଦେଇଥିଲେ | ଜି-୨୦ ସମ୍ମିଳନୀ ଦୃଷ୍ଟିରୁ ନୂଆଦିଲ୍ଲୀ ଅଞ୍ଚଳ ମଧ୍ୟରେ ଆସୁଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏ ବନ୍ଦ ରଖନ୍ତୁ। ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଓ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋକୁ ବନ୍ଦ ରଖାଯାଉ। ଏହାବାଦ ସେପ୍ଟେମ୍ବର ୮ରୁ ୧୦ ଯାଏ ଜରୁରୀ ସେବା ବ୍ୟତୀତ ଅଲଗା କାମରେ ନିୟୋଜିତ ଥିବା ବଡ଼ ଗାଡ଼ିକୁ ସହର ଭିତରେ ପ୍ରବେଶ କରିବା ପାଇଁ ବାରଣ କରାଯାଉ ବୋଲି ଦିଲ୍ଲୀ ପୋଲିସ ଚିଠିରେ ଲେଖିଥିଲା। ଏବେ କେଜ୍ରିୱାଲ ପୋଲିସର ପ୍ରସ୍ତାବକୁ ଗ୍ରହଣ କରି ଛୁଟି ଘୋଷଣା କରିଛନ୍ତି। ଭାରତ ବର୍ତ୍ତମାନ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱରେ ରହିଛି। ଦେଶ ପକ୍ଷରୁ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଜି-୨୦ର ଅନେକ ସମ୍ମିଳନୀ ଆୟୋଜନ କରାଯାଇଛି।

Breaking News