Report Card Odisha

| Daily Odia News

କାରଖାନାରେ କେମିକାଲ୍‌ ଗ୍ୟାସ୍‌ ଲିକ୍‌, ୨୮ ଅସୁସ୍ଥ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟର ଭରୁଚ ଜିଲ୍ଲା ଅନ୍ତର୍ଗତ ଜମ୍ବୁସାର ନିକଟରେ ଏକ କେମିକାଲ୍‌ କାରଖାନାରୁ ଗ୍ୟାସ୍‌ ଲିକ୍‌ ହୋଇ ୨୮ଜଣ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭରୁଚ ଜିଲ୍ଲା ଅନ୍ତର୍ଗତ ସରୋଦ ଗ୍ରାମରେ ଥିବା ‘ପି. ଆଇ. ଇଣ୍ଡଷ୍ଟ୍ରିଜ୍‌’ର ଗୋଟାଏ ଟ୍ୟାଙ୍କ୍‌ରୁ ଲିକ୍‌ ହୋଇଥିବା ‘ବ୍ରୋମାଇନ୍‌’ ବାଷ୍ପ ଆଘ୍ରାଣ କରିବା ପରେ ଶ୍ବାସପ୍ରଶ୍ବାସରେ ଅସୁବିଧା ହୋଇଥିବା କଥା ପ୍ରଭାବିତ ଲୋକେ କହିଥିଲେ ବୋଲି ଭରୁଚ ରେସିଡେନ୍‌ସ୍‌ ଆଡିସ୍‌ନାଲ୍‌ କଲେକ୍ଟର୍‌ ଏନ୍. ଆର୍‌. ଧାନ୍ଧାଲ୍‌ କହିଛନ୍ତି। ସେ କହିଛନ୍ତି, ସରୋଦ ଗ୍ରାମ ନିକଟରେ ଥିବା ‘ପି.ଆଇ. ଇଣ୍ଡଷ୍ଟ୍ରିଜ୍‌’ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାରୁ ସେଠାରୁ ‘ବ୍ରୋମାଇନ୍‌’ ବାଷ୍ପ ଲିକ୍‌ ହୋଇଥିଲା। ଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ ହେଉଛି ବୋଲି କହିଥିବା ୨୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ଦିନ ୧ଟା ବେଳେ ଗ୍ୟାସ୍‌ ଲିକ୍‌ ହେବା ସମୟରେ କାରଖାନାରେ ପ୍ରାୟ ୨୦୦୦ ଶ୍ରମିକ ଉପସ୍ଥିତ ଥିଲେ। ସମସ୍ତଙ୍କୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ବେଦାଚ ଥାନା ଇନ୍‌ପେକ୍ଟର୍‌ ବୈଶାଳୀ ଅହିର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବାଷ୍ପ ଲିକ୍‌ ହୋଇଥିବା ଟ୍ୟାଙ୍କ୍‌ ପାଖରେ ଥିବା ଶ୍ରମିକମାନେ ଅସୁସ୍ଥ ‌ଲାଗୁଛି ବୋଲି କହିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

Breaking News