Report Card Odisha

| Daily Odia News

ମୋଦୀ ଚନ୍ଦ୍ରର ମାଲିକ ନୁହନ୍ତି:ରସିଦ ଆଲଭି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳର ନାମକରଣକୁ ନେଇ ରାଜନୈତିକ ବିବାଦ ଦେଖା ଦେଇଛି | ପ୍ରଧାନମନ୍ତ୍ରୀ ମୋଦୀ ‘ଶିବଶକ୍ତି ପଏଣ୍ଟ’ ନାମରେ ନାମିତ କରିବା ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ରସିଦ ଆଲଭି କହିଛନ୍ତି ଯେ, ଏହି ନାମ ହାସ୍ୟାସ୍ପଦ କାରଣ ଚନ୍ଦ୍ରପୃଷ୍ଠର ନାମକରଣ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର କୌଣସି ଅଧିକାର ନାହିଁ। ସମଗ୍ର ବିଶ୍ୱ ହସିବ। କିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚନ୍ଦ୍ରରେ ଏକ ସ୍ଥାନର ନାମ ରଖିବାର ଅଧିକାର ଦେଇଛି | ଆମେ ଅବତରଣ କରିଛୁ, ଏହା ବହୁତ ଭଲ। ଏଥିପାଇଁ ଆମେ ଗର୍ବିତ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆମେ ଚନ୍ଦ୍ର କିମ୍ବା ସେଠାକାର ଏକ ସ୍ଥାନର ମାଲିକ ନୁହଁ ବୋଲି ରସିଦ ଆଲଭି ଏକ ଟିଭି ସାକ୍ଷାତ୍‌କାରରେ କହିଛନ୍ତି। ଏହାପରେ ତାଙ୍କୁ ‘ଜବାହର ପଏଣ୍ଟ’ ପ୍ରସଙ୍ଗ ଉଠାଇ ଜବାବ ଦିଆଯାଇଥିଲା। ଜବାହର ପଏଣ୍ଟ ହେଉଛି ସେହି ନାମ ଯେଉଁଠାରେ ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ ୨୦୦୮ରେ ଚନ୍ଦ୍ରରେ ଅବତରଣବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିଜ ନାମରେ ବା ଅଟଳବିହାରୀ ବାଜପେୟୀଙ୍କ ଭଳି କୌଣସି ବିଜେପି ନେତାଙ୍କ ନାମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସ୍ଥାନର ନାମକରଣ କରିନାହାନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ରସିଦ ଆଲଭି କହିଥିଲେ, ଆପଣ ଜବାହରଲାଲ ନେହରୁଙ୍କୁ କାହା ସହିତ ତୁଳନା କରିପାରିବେ ନାହିଁ। ଇସ୍ରୋ ଯାହା ବି ହୋଇଛି ତାହା କେବଳ ଜବାହରଲାଲ ନେହେରୁଙ୍କ ପାଇଁ। ୧୯୬୨ ମସିହାରେ ବିକ୍ରମ ସରାଭାଇ ଓ ପଣ୍ଡିତ ଜବାହରଲାଲ ନେହରୁ ଇସ୍ରୋ ପ୍ରତିଷ୍ଠା କରିଥିଲେବୋଲି ସେ କହିଛନ୍ତି। ରସିଦ ଆଲଭିଙ୍କ ବୟାନକୁ ବିଜେପି ସମାଲୋଚନା କରିଛି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ କେବଳ ନିଜର ‘ହିନ୍ଦୁ ବିରୋଧୀ’ ମନୋଭାବ ପ୍ରକାଶ କରୁଛି। ଏହି ଦଳ ହିଁ ଭଗବାନ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଇଥାଏ, ରାମ ମନ୍ଦିରକୁ ବିରୋଧ କରେ ଏବଂ ହିନ୍ଦୁମାନଙ୍କୁ ଗାଳିଗୁଲଜ କରେ। ଶିବଶକ୍ତି ପଏଣ୍ଟ ଓ ତିରଙ୍ଗା ପଏଣ୍ଟ ଏହି ଦୁଇଟି ନାମ ଦେଶ ସହ ଯୋଡ଼ି ହୋଇ ରହିଛି। ରସିଦ ଆଲଭିଙ୍କୁ କାହିଁକି ଏହା ହାସ୍ୟାସ୍ପଦ ଲାଗୁଛି? ଆଉ ତା’ଛଡ଼ା ଏହାର ନେତା ନିଜକୁ ପଇତା ଧାରୀ ବୋଲି କହୁଛନ୍ତି। କଂଗ୍ରେସର ‘ପରିବାର ପ୍ରଥମ’ ନୀତି ରହିଛି। ସେମାନେ କେବଳ ଗାନ୍ଧି ପରିବାର ଓ ଜବାହରଲାଲ ନେହରୁଙ୍କୁ ପ୍ରଶଂସା କରିବେ। ବିକ୍ରମ ସରାଭାଇଙ୍କ ନାମରେ ବିକ୍ରମ ଲ୍ୟାଣ୍ଡରର ନାମକରଣ କରାଯାଇଛି ବୋଲି ପୁନାୱାଲା କହିଛନ୍ତି। ଯଦି ଉପା ସରକାର ହୋଇଥାନ୍ତା, ତେବେ ସେମାନେ ଚନ୍ଦ୍ରଯାନ-୨ ଓ ୩କୁ କେବେ ପଠାଇ ନଥାନ୍ତେ ଏବଂ ଯଦି ପଠାଇଥାନ୍ତେ ତେବେ ଏହାର ନାମ ଇନ୍ଦିରା ପଏଣ୍ଟ ଓ ରାଜୀବ ପଏଣ୍ଟ ରଖାଯାଇଥାନ୍ତା ବୋଲି ବିଜେପି ନେତା କହିଛନ୍ତି।

Breaking News