Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦୀ-ସାଉଦୀ ଯୁବରାଜଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦୀ ଯୁବରାଜ ମହମ୍ମଦ୍‌ ବିଲ୍‌ ସଲ୍‌ମାନ୍‌ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ପରଠାରୁ ଏହା ହେଉଛି ସାଉଦୀ ଯୁବରାଜଙ୍କ ଦ୍ବିତୀୟ ସରକାରୀ ଭାରତ ଗସ୍ତ। ‘ଜି୨୦’ ଶିଖର ସମ୍ମିଳନୀ ଆରମ୍ଭ ଆଗରୁ,ସେପ୍ଟେମ୍ବର ୮ ତାରିଖରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ନିମନ୍ତେ ସେ ତାଙ୍କ ରହଣି ସମୟ ବୃଦ୍ଧି କରିଥିଲେ। ସାମଗ୍ରିକ ଶକ୍ତି କ୍ଷେତ୍ରରେ ଭାଗିଦାରିତା ଉପରେ ସାଉଦୀ ଯୁବରାଜ ଓ ମ‌ୋଦୀଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟବେଶିତ ଥିବା ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା, ମୋଦୀ ଓ ସାଉଦୀ ଯୁବରାଜ ‘ଫାଷ୍ଟ୍‌ ଲିଡର୍ସ ମିଟିଙ୍ଗ୍‌ ଅଫ୍‌ ଦି ଷ୍ଟ୍ରାଟେଜିକ୍‌ ପାର୍ଟନର୍‌ସିପ୍‌ କାଉନ୍‌ସିଲ୍‌’ରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ ବୋଲି ଆଶା କରାଯାଉଛି। ଏଥିରେ ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ଉଭୟ ନେତା ସମୀକ୍ଷା କରିବେ। ଆଜିର ଏହି ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଭବନରେ ସାଉଦୀ ଯୁବରାଜଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ। ତା’ପରେ ସାଉଦୀ ଯୁବରାଜଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା ‌ଶେଷ ହେବା ପରେ ସାଉଦୀ ଯୁବରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ମଧ୍ୟ ଆଲୋଚନା କରିବେ ବୋଲି ‘ଏଏନ୍‌ଆଇ’ ରିପୋର୍ଟରୁ ଜଣାପଡିଛି |

Breaking News