ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ୨୦ହଜାର ଜୁନିୟର ଟିଚର୍ସ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ସରକାରଙ୍କ ଦ୍ୱାରା ଠିକା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଠିକାରେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକମାନଙ୍କୁ ପ୍ରଥମ ୩ବର୍ଷ ପାଇଁ ମାସିକ ପାରିଶ୍ରମିକ ୧୧୧୦୦ ଟଙ୍କା, ପରବର୍ତ୍ତୀ ୩ ବର୍ଷ ୧୩୮୦୦ ଟଙ୍କା ପାରିଶ୍ରମିକ ଓ ଏହାପରେ ମାସିକ ୨୩୬୦୦ ଟଙ୍କା ଦରମା ଓ ଅନ୍ୟାନ୍ୟ ଭତ୍ତା ମିଳିବ ବୋଲି ଓପେସା ପକ୍ଷରୁ ସୋମବାର ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଜିଲ୍ଲା ପରିଷଦ ଦ୍ୱାରା ଏହି ପାରିଶ୍ରମିକ ସମ୍ପୃକ୍ତ ଜିଲ୍ଲାର ଶିକ୍ଷକମାନଙ୍କୁ ପ୍ରଦାନ କରାଯିବ । ସମାନ କାମକୁ ସମାନ ଦରମା, ଗ୍ରେଡ୍ ପେ ହାର ବୃଦ୍ଧି, ପୁରୁଣା ପେନସନ ଓ ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ପ୍ରାଥମିକ ଶିକ୍ଷକମାନେ ଗତ ୪ଦିନ ଧରି ଆନ୍ଦୋଳନରେ ବସିଛନ୍ତି । ରାଜ୍ୟ ସରକାର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ୫ଜଣିଆ ସବକମିଟି ଗଠନ କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ ଜିଦରେ ଅଟଳ ରହିଛନ୍ତି । ପ୍ରାଥମିକ ଶିକ୍ଷକ ମିଳିତ ମଂଚ ଡାକରାରେ ରାଜ୍ୟର ପ୍ରାୟ ୧.୩୦ଲକ୍ଷ ଶିକ୍ଷକ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟର ପ୍ରାୟ ୫୬ହଜାର ପ୍ରାଥମିକ ସ୍କୁଲରେ ତାଲା ପଡ଼ିବା ସହ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇଛି । ଆଉ ଏପଟେ ରାଜ୍ୟ ସରକାର ୨୦ହଜାର ଠିକା ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ କରିଛନ୍ତି । ପ୍ରଥମରୁ ପଂଚମ ଶ୍ରେଣୀ ପାଇଁ ୩ହଜାର ଆର୍ଟସ, ୬ହଜାର ସାଇନ୍ସ, ୧୬୦ଟି ଉର୍ଦ୍ଧ୍ୱୁ, ୧୮ଟି ତେଲଗୁ ଓ ୨୨ଟି ବେଙ୍ଗଲୀ ଭାଷା ଶିକ୍ଷକ ପଦବୀ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ୩୮୩୫ଟି ଆର୍ଟସ, ୬ହଜାର ସାଇନ୍ସ, ୧୧୫ ଉର୍ଦ୍ଧ୍ୱୁ, ୧୨ଟି ତେଲଗୁ ଓ ୩୮ଟି ବେଙ୍ଗଲୀ ଭାଷା ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..