ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି | ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷର ୨୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ପ୍ରସ୍ତାବ ପାରିତ ହୋଇଥିଲା। ୧୦ଟି ବିଭାଗର ମୋଟ ୧୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏଥିରେ ସର୍ବାଧିକ ୬ଟି ଜଳସମ୍ପଦ ବିଭାଗର ହୋଇଥିବାବେଳେ ପୂର୍ତ୍ତ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ,ଅର୍ଥ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୨ଟି ଲେଖାଏଁ ପ୍ରସ୍ତାବ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ଲେଖାଁଏ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି । ରିଫ ଓ ରବି ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଆଜି ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୨୩-୨୪ ଖରିଫ ବିପଣନ ବର୍ଷରେ ମୋଟ ୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ(୭୯ଲକ୍ଷ ମେଟ୍ରିକ ଟନ୍ ଧାନ) ସଂଗ୍ରହ କରାଯିବ। ଖରିଫ ବର୍ଷ-୨୦୨୨-୨୩ରେ ମୋଟ ୭୯.୧୬ଲକ୍ଷ ମେଟ୍ରିକ ଟନ୍ ଧାନ(୫୩.୫୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ କରାଯାଇଥିଲା । ସେହିପରି ରାଜ୍ୟରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତଥା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ହେଉଥିବା ମୋଟ ୩୫ଟି ଟୋଲଗେଟକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହି ଟୋଲ ଗେଟଗୁଡ଼ିକ ଏବେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ହେଉଛି । ସେହିପରି ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ‘ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଚଳିତବର୍ଷ ଅକ୍ଟୋବର ପହିଲାରୁ ୨୦୨୪ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪ ବଳବତ୍ତର ରହିବ । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଧାନ ଓ ୨୦୨୪ ମେ ଓ ଜୁନ୍ ମାସରେ ରବି ଋତୁ ଧାନ ସଂଗ୍ରହ କରାଯିବ। ତେବେ ପଞ୍ଜିକୃତ ଚାଷୀମାନେ ଯଦି ଧାର୍ଯ୍ୟଲକ୍ଷ୍ୟ ୭୯ଲକ୍ଷ ମେଟ୍ରିକ ଟନଠୁ ଅଧିକ ଧାନ ମଣ୍ଡିକୁ ଆଣିବେ ତାକୁ ରାଜ୍ୟ ସରକାର କ୍ରୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ପଞ୍ଜିକୃତ ଚାଷୀଙ୍କଠୁ ବଳକା ଧାନ ସଂଗ୍ରହ କରାଯିବ ଓ ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟ ପତ୍ର ହେବ । ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ବ୍ୟବସ୍ଥା କରାଯିବ । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ସାଧାରଣ ଧାନ ଓ ଗ୍ରେଡ-ଏ ଧାନ ପାଇଁ ଯଥାକ୍ରମେ ୨୧୮୩ଟଙ୍କା ଓ ୨୨୦୩ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ । ଖିଲାପୀ ମିଲରଙ୍କୁ ଚଳିତଥର ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ ନାହିଁ । ପି-ପାସ୍ ମାଧ୍ୟମରେ ଚାଷୀଙ୍କୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି | ପୂର୍ବ ବର୍ଷ ପରି ପି-ପିଏଏସ୍ ସଫଟୱେୟାର ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଅନଲାଇନରେ କରାଯିବ। ଧାନର ଅଭାବୀ ବିକ୍ରିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ-ସଂଗ୍ରହକାରୀ ସଂସ୍ଥା ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।ସେହିପରି ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସ୍ୱତନ୍ତ୍ର ଆଇନ, ବ୍ରହ୍ମପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ଏନଆଇଏସଟି)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।ସେହିପରି ଓଡ଼ିଶା ଭୂ-ସଂସ୍କାର ଆଇନ-୧୯୬୦ର ଧାରା -୮ର ଉପଧାରା-୨ ଅନୁସାରେ ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷଜମିକୁ କୃଷି ବ୍ୟତୀତ ଯେକୌଣସି ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କିସମ ପରିବର୍ତ୍ତନ ଦେୟ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ଭୂ-ସଂସ୍କାର ଆଇନ(ସଂଶୋଧନ)-୨୦୨୩ର ବିଜ୍ଞପ୍ତି ପ୍ରକାଶନ ଦିନଠୁ ଏହା କାର୍ଯ୍ୟକାରୀ ହେବ । ଓଡ଼ିଶା ସ୍ୱାସ୍ଥ୍ୟ ଗୁଇନ୍ଦା ଓ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୨୩ ପ୍ରଣୟନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଏହି ପରିସଂଖ୍ୟାନ ସହାୟକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା କରିବେ ଓ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ କମ୍ପ୍ୟୁଟର ପରିବର୍ତ୍ତେ ସ୍ନାତକ ଡିଗ୍ରୀ ସହ ଗଣିତ କିମ୍ବା ପରିସଂଖ୍ୟାନ ସହିତ କମ୍ପ୍ୟୁଟର ଅଭିଜ୍ଞତା ରହିବା ଜରୁରୀ । ଆବେଦନ ବୟସ ୧୮ବର୍ଷ ପରିବର୍ତ୍ତେ ୨୧ବର୍ଷକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ନୂତନ ନିଯୁକ୍ତି ଓ ସେବା ସର୍ତ୍ତାବଳୀନ ତ୍ୱରିତ୍ ପଦୋନ୍ନତି ସୁବିଧା ପ୍ରଦାନ କରିବ ଓ କର୍ମଚାରୀମାନଙ୍କର ମନୋବଳ ବୃଦ୍ଧି ସହ ସେବା କାର୍ଯ୍ୟ ପାଇଁ ସେମାନେ ଅନୁପ୍ରାଣୀତ ହେବେ । ସେହିପରି ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଆହୂତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବାଣିଜ୍ୟ ଓ ପରିବହନ ବିଭାଗର ‘ଲକ୍ଷ୍ମୀ’ ଯୋଜନାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ଅର୍ଥ ବିଭାଗର ଦୁଇଟି ପ୍ରସ୍ତାବ ଯଥା ଓଡ଼ିଶା ଜିଏସଟି ଆଇନ-୨୦୧୭ର ସଂଶୋଧନ ଏବଂ ଓଡ଼ିଶା ବେସାମରିକ ପ୍ରଶାସନିକ ସେବା(ପେନସନ) ରୁଲସ-୧୯୯୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଫଳରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚୂଡ଼ାନ୍ତ ପେନସନ୍ ପ୍ରଦାନ ପ୍ରକ୍ରିୟାକୁ ସରଳ କରାଯାଇଛି । ଅବସର ନେବାର ୬ମାସ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଓ ପେନସନ ପ୍ରଦାନରେ ବିଳମ୍ବ ପାଇଁ ସମ୍ପୃକ୍ତ ଅଫିସରଙ୍କ ଦାୟୀ ରହିବେ ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..