Report Card Odisha

| Daily Odia News

ଗଣମାଧ୍ୟମକୁ ଡରେଇବାକୁ ଉଦ୍ୟମ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛବିଶ-ଦଳିଆ ଇଣ୍ଡିଆ ମେଣ୍ଟ ୧୪ ଜଣ ସାମ୍ବାଦିକ/ଆଙ୍କରଙ୍କୁ ବୟକଟ କରିବା ଏବଂ ସେମାନଙ୍କ ସୋ ବା କାର୍ଯ୍ୟକ୍ରମକୁ ନିଜର କୌଣସି ପ୍ରତିନିଧିଙ୍କୁ ନ ପଠାଇବା ଲାଗି ଘୋଷଣା କରିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ପ୍ରସାରଣକାରୀମାନଙ୍କ ସଂଗଠନ ନ୍ୟୁଜ୍ ବ୍ରୋଡ୍‌କାଷ୍ଟର ଆଣ୍ଡ୍ ଡିଜିଟାଲ ଆସୋସିଏସନ । ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତି ଏକ ‘ବିପଜ୍ଜନକ ପୂର୍ବଦୃଷ୍ଟାନ୍ତ’ ସୃଷ୍ଟି କରିବ ବୋଲି ଏନ୍‌ବିଡିଏ ପ୍ରକାଶ କରିଛି। ଭାରତର ପ୍ରମୁଖ ନ୍ୟୁଜ୍ ବ୍ୟକ୍ତିତ୍ବଙ୍କ ଟିଭି ନ୍ୟୁଜ୍ କାର୍ଯ୍ୟକ୍ରମରେ ବିରୋଧୀ ମେଣ୍ଟ ଅଂଶଗ୍ରହଣ ନ କରିବା ଗଣତାନ୍ତ୍ରିକ ସଂସ୍କୃତିର ବିରୋଧୀ। ଏହା ଅସହିଷ୍ଣୁତାର ସୂଚକ ଏବଂ ପ୍ରେସ୍ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଏନ୍‌ବିଡିଏ ପକ୍ଷରୁ କୁହାଯାଇଛି। ସାମ୍ବାଦିକଙ୍କୁ ବର୍ଜନ କରିବା ଦେଶକୁ ଜରୁରିକାଳୀନ ପରିସ୍ଥିତିର ଯୁଗକୁ ନେଇଯାଉଛି, ଯେତେବେଳେ ପ୍ରେସ୍ ସ୍ବାଧୀନତା ଉପରେ କଟକଣା ଲଗାଯାଇଥିଲା ଏବଂ ଲୋକଙ୍କର ସ୍ବାଧୀନ ମତ ପ୍ରକାଶ କରିବାର ଅଧିକାର ନ ଥିଲା। ପ୍ରେସ୍ ସ୍ବାଧୀନତା ପ୍ରତି ବିରୋଧୀ ମେଣ୍ଟର ଯଦି ସାମାନ୍ୟତମ ସମ୍ମାନ ଥାଏ, ତାହା’ହେଲେ ସେମାନେ ତୁରନ୍ତ ସେମାନଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଏନ୍‌ବିଡିଏ ପକ୍ଷରୁ ଏକ ପ୍ରେସ୍ ରିଲିଜରେ କୁହାଯାଇଛି। ସାମ୍ବାଦିକମାନଙ୍କର ଆଉ ଏକ ସଂଗଠନ ନ୍ୟାସନାଲ ବ୍ରୋଡ୍‌କାଷ୍ଟିଂ ଫେଡ଼େରେସନ (ଏନ୍‌ବିଏଫ୍‌) ପକ୍ଷରୁ ମଧ୍ୟ ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ନିନ୍ଦା କରାଯାଇଛି। ଗଣମାଧ୍ୟମର ସ୍ବରକୁ ଚାପିଦେବା ଓ ସେମାନଙ୍କୁ ଡରେଇବା ପାଇଁ ବିରୋଧୀ ମେଣ୍ଟର ଏହା ଏକ ଉଦ୍ୟମ ବୋଲି ଜାତୀୟ ପ୍ରସାରଣ ସଂଘ ପ୍ରକାଶ କରିଛି।

Breaking News