Report Card Odisha

| Daily Odia News

ଅନୁପ୍ରବେଶ ପଣ୍ଡ, ୩ ଆତଙ୍କବାଦୀ ନିପାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀରର ବାରମୂଳା ଜିଲ୍ଲାରେ ଶନିବାର ଭାରତୀୟ ସେନା ଓ ପୋଲିସ ସହ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇଜଣଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟସ୍ଥ ପାକିସ୍ତାନ ପୋଷ୍ଟରୁ ଗୁଳି ଚଳାଇ ତୃତୀୟ ମୃତଦେହ ଉଦ୍ଧାରରେ ବାଧା ସୃଷ୍ଟି କରାଯାଇଥିଲା। ବାରମୂଳା ଜିଲ୍ଲାର ଉରି, ହାଥଲଙ୍ଗାର ଫରୱାର୍ଡ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପାକିସ୍ତାନ ସେନାର ସୁରକ୍ଷା ବଳୟ ଭିତରେ ୩ ଜଣ ଆତଙ୍କବାଦୀ ଭାରତର ସୀମାରେ ପ୍ରବେଶ କରୁଥିବା ନେଇ ଜଣାପଡ଼ିବା ମାତ୍ରେ ତତ୍କାଳ ଅପେରସନ ଆରମ୍ଭ ହୋଇଥିଲା। ଶନିବାର ଭୋର ସମୟରେ ଉରିର ନିୟନ୍ତ୍ରଣ ରେଖା ନିକଟରେ ଥିବା ହାଥଲଙ୍ଗା ନାଲା ଦେଇ ୩ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆହତ ହୋଇଥିବା ତୃତୀୟ ଆତଙ୍କବାଦୀ ଖସି ପଳାଇବାକୁ ଚେଷ୍ଟା କଲାବେଳେ ପାକିସ୍ତାନ ସେନା ପୋଷ୍ଟ ଦ୍ୱାରା ତାକୁ ସହାୟତା କରାଯାଇଥିଲା। ତେବେ ଭାରତୀୟ ଯବାନଙ୍କ ଗୁଳିରେ ତୃତୀୟ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲା। ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ୍ ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାଉ କରିବା ପରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହାର ଜବାବ ସୁରକ୍ଷାବାହିନୀ ଦେଇଥିଲା। ଜମ୍ମୁ-କଶ୍ମୀରର ଅନନ୍ତନାଗ ଏନ୍‌କାଉଣ୍ଟରରେ ୩ ଜଣ ସୁରକ୍ଷା ଅଧିକାରୀ ସହିଦ ହେବାର ୩ ଦିନ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଠାବ କରି ନିପାତ କରିବା ପାଇଁ ଡ୍ରୋନ୍ ଏବଂ ହେଲିକପ୍ଟର ନିୟୋଜନ ସହ ଅଭିଯାନ ଚତୁର୍ଥ ଦିନରେ ପହଞ୍ଚିଛି। ଗୁଳି ବିନିମୟର ଚତୁର୍ଥ ଦିନ ଶନିବାର ସକାଳେ ପୁଣି ଥରେ ଆକ୍ରମଣ ଆରମ୍ଭ ହେବା ପରେ ସୁରକ୍ଷାବାହିନୀ ଜଙ୍ଗଲ ଆଡ଼କୁ ଅନେକ ଗୁଳି ଚାଳନା କରିଥିଲେ। କୋକରନାଗର ଗାଡୋଲ ଜଙ୍ଗଲ ଅଞ୍ଚଳରେ ଏହି ଅପରେସନ କରାଯାଇଥିଲା।

 

 

 

 

 

 

 

Breaking News