ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହେବ | ଆସନ୍ତାକାଲି ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୯ ଠାରୁ ଏହା ସଂସଦର ନୂଆ ଭବନରେ ଚାଲିବ। ଏହି ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିରୋଧୀ ଦଳ ଅଭିଯୋଗ କରିଛି ଯେ ସରକାର ଏହି ଅଧିବେଶନ ଲାଗି ଏଜେଣ୍ଡା ଘୋଷଣା ନ କରି ଏହାକୁ ଗୋପନ ରଖିଛନ୍ତି। ଅନ୍ୟପଟେ ସଂସଦର ସ୍ବତନ୍ତ୍ର ଅଧିବେଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ମନ୍ତ୍ରୀ ରାଜନାଥ ସିଂହ, ପୀୟୂଷ ଗୋୟଲ ପ୍ରମୁଖ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଜେଡିଏସର ଏଚଡି ଦେବେଗୌଡା, ଡିଏମ୍କେର କାନିମୋଝି, ଟିଡିପିର ରାମମୋହନ ନାଇଡୁ, ଟିଏମସିର େଡରେକ ଓବ୍ରାଏନ୍, ଆପ୍ର ସଞ୍ଜୟ ସିଂହ, ବିଜେଡିର ସସ୍ମିତ ପାତ୍ର, ବିଆରଏସ୍ର କେ କେଶବ ରାଓ, ୱାଇଏସଆର କଂଗ୍ରେସର ବିଜୟସାଇ ରେଡି, ଆରଜେଡିର ମନୋଜ ଝା, ଜେଡିୟୁର ଅନିଲ ହେଗଡେ ଓ ଏସପିର ରାମ ଗୋପାଳ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ସ୍ବତନ୍ତ୍ର ଅଧିବେଶନ କାଳରେ ସେପ୍ଟେମ୍ବର ୧୯ ତାରିଖ ସକାଳ ୯ଟା ୩୦ ମିନିଟ୍ରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କର ଗ୍ରୁପ୍ ଫଟୋ ଉଠାଯିବ। ନୂଆ ସଂସଦ ଭବନରେ ପ୍ରବେଶ ନିମନ୍ତେ ସମସ୍ତ ସଦସ୍ୟଙ୍କୁ ନୂଆ ପରିଚୟପତ୍ର ପ୍ରଦାନ କରାଯାଇଛି। ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ରବିବାର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜ ଦ୍ବାର ଉପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..