Report Card Odisha

| Daily Odia News

ପରକୀୟା ପ୍ରୀତି ପାଇଁ ଗଲା ମନ୍ତ୍ରୀ ପଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୁଲାଇ ମାସରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା କ୍ବିନ୍‌ ଗାଙ୍ଗ୍‌ ଆମେରିକାରେ ରାଷ୍ଟ୍ରଦୂତ ଥିବା ବ‌େଳେ ପରକୀୟା ପ୍ରୀତିରେ ସମ୍ପୃକ୍ତ ଥିଲେ ବୋଲି ସେ ସଂକ୍ରାନ୍ତରେ ଅଗବତ ଥିବା ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ଏହି ପରକୀୟା ପ୍ରୀତି ଅଥବା କ୍ବିନ୍‌ଙ୍କ ଆଚରଣ ଚୀନ୍‌ର ଜାତୀୟ ସୁରକ୍ଷାକୁ ବିପନ୍ନ କରୁଥିଲା କି, ନାହିଁ ତାହା ଉପରେ ଧ୍ୟାନ ଦିଆଯାଇ ଏବେ ତଦନ୍ତ ଚାଲିଛି ଓ ଏଥିରେ କ୍ବିନ୍‌ ସହଯୋଗ କରୁଥିବା କଥା ଉକ୍ତ ରିପୋର୍ଟରେ ଉ‌ଲ୍ଲେଖ ଅଛି। ପଦସ୍ଥ ଚୀନ୍‌ ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ କ୍ବିନ୍‌ ଯେତେ ଦିନ ଧରି ଚୀନ୍‌ର ରାଷ୍ଟ୍ରଦୂତ ଥିଲେ, ସେତେ ଦିନ ଧରି ସେ ପରକୀୟା ପ୍ରୀତିରେ ଲିପ୍ତ ଥିଲେ। ଏହି ପରକୀୟା ପ୍ରୀତିରୁ ଆମେରିକାରେ ତାଙ୍କ ଔରସରୁ ଏକ ସନ୍ତାନ ଜନ୍ମ ହୋଇଥିବା କଥା ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’କୁ ୨ଟି ସୂତ୍ରରୁ ତଥ୍ୟ ମିଳିଛି। ସାମ୍ବାଦିକ ସମ୍ମିଳନୀରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍‌ଙ୍କୁ ଉପରୋକ୍ତ ରିପୋର୍ଟ ସମ୍ପର୍କରେ ପଚରା ଯିବାରୁ ସେ କହିଲେ, ଚୀନ୍‌ ବୈଦେଶିକ ମନ୍ତ୍ରୀଙ୍କ ନିଯୁକ୍ତି ଓ ବହିଷ୍କାର ବିଷୟରେ ଆଗରୁ ଚୀନ୍‌ ସୂଚନା ପ୍ରଦାନ କରିସାରିଛି। କିନ୍ତୁ, ଆପଣମାନେ ଯେଉଁ ସୂଚନା ଦେଉଛନ୍ତି ସେ ବିଷୟରେ ମୁଁ କିଛି ଜାଣେନାହିଁ। ସୂଚନାଯୋଗ୍ୟ, ନିଯୁକ୍ତି ପାଇବାର ୬ ମାସ ହୋଇଛି କି, ନାହିଁ ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ରହସ୍ୟମୟ ଭାବେ ମାସେକାଳ ‘ଡିୟୁଟି’ରେ ଅନୁପସ୍ଥିତ ରହିଥିଲେ। ପରେ ତାଙ୍କ ସ୍ଥାନରେ ଗତ ଜୁଲାଇ ମାସରେ ବିଶିଷ୍ଟ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ ନିଯୁକ୍ତି ଦିଆଯାଇଥିଲା।

 

Breaking News