Report Card Odisha

| Daily Odia News

ଲୋକସଭାରେ ମହିଳା ବିଲ ପାରିତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବହୁ ପ୍ରତିକ୍ଷିତ ମହିଳା ସଂରକ୍ଷିତ ବଲ୍‌ ଆଜି ଲୋକସଭାରେ ପାସ୍‌ ହୋଇଛି | ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦୀର୍ଘ ୩ ଦଶନ୍ଧି ଧରି ଏକାଧିକ ଥର ମହିଳା ସଂରକ୍ଷଣ ବିଲକୁ ପାସ୍‌ କରିବାକୁ ଲୋକସଭାରେ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଯାଏ ଏହା ପାରିତ ହୋଇ ନଥିଲା। ୨୦୧୦ରେ ରାଜ୍ୟଭାରେ ମହିଳା ସଂରକ୍ଷିତ ବିଲ୍‌ ପାରିତ ହୋଇଥିଲା। କିନ୍ତୁ ଲୋକସଭାରେ ପ୍ରଥମଥର ପାଇଁ ସର୍ବସମ୍ମତିକ୍ରମେ ଆଜି ପାରିତ ହୋଇଛି।ଏହା ଏକ ସମ୍ବିଧାନ ସଂଶୋଧ ବିଲ୍‌ ହୋଇଥିବାରୁ ପାରିତ କରିବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର ଥିଲା। ବିଲ୍‌କୁ ତା’ଠାରୁ ଅଧିକ ସମର୍ଥନ ମିଳିଛି। ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ ମିଳିଛି  | ଆଜି ଲୋକସଭାରେ ଦିନ ୧୧ଟାରୁ ଏହା ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି। ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ବିଲ୍‌ ଉପରେ ନିଜର ପକ୍ଷ ରଖିଥିଲେ। ସେ ବିଲ୍‌କୁ ସମର୍ଥନ କରିଥିଲେ ମଧ୍ୟ ଏଥିରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ ଦାବି କରିଥିଲେ। ସେହିପରି ତୁରନ୍ତ ଏହାର ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ ଓ ଡିଏମକେର କାନିମୋଝୀ ମଧ୍ୟ ସମାନ ଦାବି ରଖିଥିଲେ। କିନ୍ତୁ ସରକାର ବିରୋଧୀଙ୍କ କୌଣସି ପ୍ରକାରର ଦାବିକୁ ଶୁଣି ନାହାନ୍ତି। ଏହି ବିଲ୍‌ ଉପରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପରବର୍ତ୍ତୀ ସାଧାରଣ ନିର୍ବାଚନ ସରିବା କ୍ଷଣି ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ। ଦେଶର ବିକାଶ ଓ ବଡ଼ବଡ଼ ନିଷ୍ପତ୍ତି ନେବାରେ ମହିଳାଙ୍କ ଯୋଗଦାନ କ୍ଷେତ୍ରରେ ଏହି ବିଲ୍‌ ବୁଷ୍ଟର ଭାବେ କାମ କରିବ। ତେଣୁ ସବୁ ରାଜନୀତିକ ଦଳ ଗୋଟିଏ ସ୍ୱରରେ ଏହାକୁ ସମର୍ଥନ କରିବା ଦରକାର ବୋଲି ଶ୍ରୀ ଶାହ ମତ କହିଥିଲେ। ଶାହଙ୍କ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌ ଉପରେ ମତ ରଖିଥିଲେ। ଏହାପରେ ମତଦାନ ହୋଇଥିଲା। ଶେଷରେ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ଆସନ୍ତାକାଲି ଏହି ବିଲ୍‌ ରାଜ୍ୟସଭାରେ ଉପସ୍ଥାପନ କରାଯିବ।

Breaking News