ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । କାନାଡାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ କାନାଡ଼ା ଯିବାକୁ ଚାହୁଁଥିବା ନାଗରିକମାନେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଭାରତୀୟ ନାଗରିକମାନେ କାନାଡାର ଯେଉଁ ଅଞ୍ଚଳ ଏବଂ ସମ୍ଭାବ୍ୟ ସ୍ଥାନରେ ଭାରତ ବିରୋଧୀ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି ସେଠାକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଖଲିସ୍ତାନୀ ଗୋଷ୍ଠୀଗୁଡ଼ିକ ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟମାନଙ୍କୁ ଟାର୍ଗେଟ୍ କରିବାକୁ ଖୋଲାଖୋଲି ଧମକ ଦେଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ସେଠାରେ ଥିବା ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ମାଧ୍ୟମରେ ଏହି ଆଡଭାଇଜରିକୁ ଜାରି କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କାନାଡାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆମର ହାଇ କମିଶନ/ଦୂତାବାସ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..