Report Card Odisha

| Daily Odia News

ରୁଷ୍‌କୁ ଅସ୍ତ୍ରଶସ୍ତ୍ର ପଠାଲା ଉତ୍ତର କୋରିଆ, ସାଟେଲାଇଟ୍‌ ଫଟୋ ସେୟାର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌କୁ ଅସ୍ତ୍ରଶସ୍ତ୍ର ପଠାଇଛି କହି ହ୍ବାଇଟ୍‌ ହାଉସ୍‌ ଉତ୍ତର କୋରିଆ ଉପରେ ଦୋଷାରୋପ କରିବା ସହିତ ଏହାର ପ୍ରମାଣସ୍ବରୂପ ‘ସାଟେଲାଇଟ୍‌’ଦ୍ବାରା ଉତ୍ତୋଳିତ ଫଟୋ ମଧ୍ୟ ସେୟାର୍‌ କରିଛି। ଜାତୀୟ ରୁକ୍ଷା ପରିଷଦ୍‌ର ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି ଯେ, ଅଳ୍ପ କେତେ ସପ୍ତାହ ହେବ ଉତ୍ତର କୋରିଆ ରୁଷ୍‌କୁ ୧୦୦୦ ‘କେଣ୍ଟନର୍‌’ ସାମରିକ ଉପକରଣ ଓ ଆଗ୍ନେୟାସ୍ତ୍ର ଡେଲିଭରି କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ସୂଚନା ପାଇଛି। ହ୍ବାଇଟ୍‌ ହାଉସ୍‌ର ପଦସ୍ଥ ଅଧିକାରୀମାନେ କହିଛନ୍ତି ଯେ, ଉତ୍ତର କୋରିଆ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ପଠାଇଛି। ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କ ସମ୍ପ୍ରସାରିତ ହେଉଥିବାରୁ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ଦାବିର ପ୍ରମାଣସ୍ବରୂପ ହ୍ବାଇଟ୍‌ ହାଉସ୍‌ ସାଟେଲାଇଟ୍‌ରୁ ସଂଗୃହୀତ କେତେକ ଫଟୋ ମଧ୍ୟ ସେୟାର୍‌ କରିଛି। ରୁଷୀୟ ପତାକା ଲାଗିଥିବା ଗୋଟାଏ ପ‌ୋତରେ ଉତ୍ତର କୋରିଆ ଗୋଦାମରୁ ଅସ୍ତ୍ରଶସ୍ତ୍ର ବୋଝେଇ କରାଯାଉଥିବା ଭଳି ଗୋଟିଏ ଫଟୋରେ ଦେଖାଯାଉଛି। ସେହିପରି, ରୁଷ୍‌ର ଦକ୍ଷିଣପଶ୍ଚିମ ସୀମାନ୍ତ ନିକଟରେ ଥିବା ଏକ ଗୋଦାମକୁ ମଧ୍ୟ ରେଳ ଯୋଗେ ଅସ୍ତ୍ରଶସ୍ତ୍ର ପଠାଯାଉଥିବା ଫଟୋ ରହିଛି। ସେପ୍ଟେମ୍ବର ୭ରୁ ଅକ୍ଟୋବର ୧ ମଧ୍ୟରେ ଏହି ଅସ୍ତ୍ରଶସ୍ତ୍ର ସବୁ ପଠାଯାଇଥିବା କଥା ହ୍ବାଇଟ୍‌ ହାଉସ୍‌ ଅଧିକାରୀମାନ‌େ କହିଛନ୍ତି। ସେତେବେଳେ ରୁଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ କରୁଥିଲା। କିର୍ବି କହିଛନ୍ତି, ୟୁକ୍ରେନୀୟ ନଗରୀ ଆକ୍ରମଣ କରିବାକୁ, ୟୁକ୍ରେନୀୟ ସାଧାରଣ ନାଗରିକଙ୍କୁ ମାରିବାକୁ ଓ ରୁଷ୍‌ର ଅବୈଧ ଯୁଦ୍ଧକୁ ଆଗେଇ ନେବା ପାଇଁ ବ୍ୟବହାର ହେବାକୁ ଥିବା ଏହି ସବୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବାରୁ ଆମେ ଉତ୍ତର କ‌ୋରିଆକୁ ନିନ୍ଦା କରୁଛୁ।

Breaking News