ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ଆଉ ମାତ୍ର ୮ମାସ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଯୋଜନା କରିଥିବାବେଳେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରିବ ତାହା ସ୍ଥିର କରିପାରି ନାହିଁ। ଏପରିସ୍ଥଳରେ କଂଗ୍ରେସର ବରିଷ୍ଠ ନେତା ଶଶୀ ତରୁର କରିଥିବା ପୂର୍ବାନୁମାନ ଆଲୋଚନାର ବିଷୟ ହୋଇଛି। ତରୁର୍ କହିଛନ୍ତି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କଂଗ୍ରେସ ଦଳରୁ କେହି ନେତା ହେବେ। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଯଦି କ୍ଷମତା ଦଖଲ କରେ ତେବେ ରାହୁଲ ଗାନ୍ଧୀ କିମ୍ବା ଅନ୍ୟ କେହି ଏହି ପଦ ମଣ୍ଡନ କରିବାର ସମ୍ଭାବନା ରହିଛି। ତରୁର୍ କହିଛନ୍ତି ବିଭିନ୍ନ ଦୃଷ୍ଟିକୋଣରୁ କଂଗ୍ରେସ ଏକ ପରିବାର ପରିଚାଳିତ ଦଳ ହୋଇଥିବାରୁ ରାହୁଲ କିମ୍ବା ଦଳର ଅନ୍ୟ କେହି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏପରିକି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଖଡଗେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଦେଶର ପ୍ରଥମ ଦଳିତ ପ୍ରଧାନମନ୍ତ୍ରୀ ହେବେ। ପରିବାର ରାଜନୀତିରୁ ଦୂରେଇ ରହିବାକୁ ରାହୁଲ କହୁଥିବାବେଳେ ତରୁର୍ ଏପରି କହିଛନ୍ତି। ମିଜୋରାମ ଗସ୍ତ କାଳରେ ରାହୁଲ ବିଜେପି ନେତାଙ୍କ ପରିବାର ରାଜନୀତି କଥା କହିଥିଲେ। ଅମିତ ଶାହାଙ୍କ ପୁଅ ଓ ରାଜନାଥ ସିଂହଙ୍କ ପୁଅ କଣ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପରିବାର ରାଜନୀତିର ଏକ ଉଦାହରଣ ବୋଲି ରାହୁଲ କହିଛନ୍ତି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..