ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନିଲଣ୍ଡରିଂ ନିରୋଧ ଆଇନର ଧାରା ୧୯ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫ କରିବାର ଅଧିକାର ଅସୀମିତ ନୁହେଁ। ଅର୍ଥାତ୍ ଇଡି ମନଇଚ୍ଛା ବା ନିଜର ଖିଆଲଖୁସି ଅନୁସାରେ କାହାକୁ ଗିରଫ କରିପାରିବନି। ଗୁରୁବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି | ଜଷ୍ଟିସ୍ ଅନୁପ ଜୟରାମ ଭମ୍ଭାନି କହିଲେ ଯେ, ଇଡି କାହାକୁ ଗିରଫ କରିବାକୁ ହେଲେ ତିନିଟି ଆବଶ୍ୟକତା ପୂରଣ ହେଉଥିବା ଦରକାର- ୧) ପ୍ରଥମତଃ ନିର୍ଦ୍ଦେଶକଙ୍କର ଏହା ହୃଦ୍ବୋଧ ହେବା ଦରକାର ଯେ ସେ ଯାହାକୁ ଗିରଫ କରିବାକୁ ଯାଉଛନ୍ତି ସେ ମନିଲଣ୍ଡରିଂ ସହ ଜଡ଼ିତ ଅପରାଧ କରିଛନ୍ତି, ଅନ୍ୟ କୌଣସି ଅପରାଧ ନୁହେଁ। ୨) ଦ୍ବିତୀୟତଃ ସେ କରିଥିବା ବା କରିଛନ୍ତି ବୋଲି ସନ୍ଦେହ ହେଉଥିବା ଅପରାଧ ସମ୍ପର୍କିତ ବିବରଣୀ ଲିଖିତ ଆକାରରେ ରେକର୍ଡ ହୋଇଥିବା ଦରକାର। ୩) ତୃତୀୟତଃ ଉକ୍ତ ସନ୍ଦେହ ସପକ୍ଷରେ କିଛି ଠୋସ୍ ବା ବାସ୍ତବ ପ୍ରମାଣ ନିର୍ଦ୍ଦେଶକଙ୍କର ହସ୍ତଗତ ହୋଇଥିବା ଦରକାର। କୋର୍ଟ ପୁଣି କହିଲେ ଯେ, ପିଏମ୍ଏଲ୍ଏର ଧାରା ୫୦ ଅନୁଯାୟୀ ଇଡିର ସମନ ଜାରି କରିବାର ଅଧିକାର ଅଛି ଏବଂ ତା’ ଭିତରେ ଗିରଫ କରିବାର ଅଧିକାର ଅନ୍ତର୍ଭୁକ୍ତ ନୁହେଁ। ଇଡି ଦ୍ବାରା ଗିରଫ ହେବା ଆଶଙ୍କା କରୁଥିବା ଜଣେ ବ୍ୟକ୍ତି ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ ଯଦିବି ଏନ୍ଫୋର୍ସମେଣ୍ଟ କେସ୍ ଇନ୍ଫର୍ମେସନ ରିପୋର୍ଟ ରେ ବା ଏତଲାରେ ତାଙ୍କ ନାମ ନ ଥାଏ। ଏଜୁକମ୍ପ ମାମଲାରେ ଇସିଆଇଆର୍କୁ ରଦ୍ଦ କରିବା ପାଇଁ ଜନୈକ ଆଶିଷ ମିତ୍ତଲଙ୍କ ଆବେଦନର ଶୁଣାଣି ଅବସରରେ କୋର୍ଟ ଉପରୋକ୍ତ ମତ ଦେଇଛନ୍ତି। ତେବେ ଏହି ଆବେଦନ ବିରୋଧରେ ଇଡି ପ୍ରାଥମିକ ଆପତ୍ତି ଉଠାଇଛି ଏବଂ ଯୁକ୍ତି କରିଛି ଯେ, ପିଏମ୍ଏଲ୍ଏର ଧାରା ୫୦ ଅନୁସାରେ ଏକ ସମନକୁ ଭିତ୍ତି କରି ଏହି ପିଟିସନ ଦାଏର କରାଯାଇଛି, ତା’ଛଡ଼ା ଆଉ କିଛି ନୁହେଁ। ଏତଲାରେ ମିତ୍ତଲଙ୍କ ନାଁ ନାହିଁ, ତେଣୁ ଗିରଫ ନେଇ ସେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……