ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ଜଣେ ଆଇଏଏସ୍ ଚାକିରିରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ୨୦୦୯ ବ୍ୟାଚ୍ ଆଇଏଏସ ଭି.ଜୟକୁମାର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କର ଇସ୍ତଫା ପତ୍ରକୁ ପିଛିଲା ଭାବେ ଗତ ସପ୍ତାହରେ ମଞ୍ଜୁର କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୯ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭି.ଜୟକୁମାରଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଅଲଇଣ୍ଡିଆ ସର୍ଭିସ (ଲିଭ୍) ରୁଲସ-୧୯୫୫ର ରୁଲସ ୭(୨)(କ)ର ପ୍ରାବଧାନ ଅନୁସାରେ ୨୦୨୦ ଜୁନ୍ ପହିଲାରୁ ତାଙ୍କର ଇସ୍ତଫାକୁ ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ୨୦୨୩ ଅଗଷ୍ଟ ୧୦ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଚିଠି ଲେଖି ଜୟକୁମାରଙ୍କ ଇସ୍ତଫା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଜୟକୁମାର କୋରାପୁଟ ଜିଲ୍ଲାପାଳ ଥିବାବେଳେ ୧୧ଜଣ କର୍ମଚାରୀଙ୍କୁ ନିଲମ୍ବନ କରି ବିବାଦୀୟ ହୋଇପଡ଼ିଥିଲେ । କର୍ମଚାରୀଙ୍କ ଏଭଳି ନିଲମ୍ବନ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଦାନା ବାନ୍ଧିବା ପରେ ସରକାର ତାଙ୍କୁ ସଚିବାଳୟକୁ ବଦଳି କରିଥିଲେ । ସେ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ।
More Stories
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ…..
ଶ୍ରୀମନ୍ଦିରକୁ ଏକକାଳୀନ ୫କୋଟି ଦାନ କଲେ ଶ୍ରଦ୍ଧାଳୁ….
ରାଜ୍ୟରେ ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ ହେବ:ମୁଖ୍ୟମନ୍ତ୍ରୀ…..