Report Card Odisha

| Daily Odia News

ଟିଭି ଚ୍ୟାନେଲ ଉତ୍ତରକାଶୀ ଉଦ୍ଧାର କାର୍ଯ୍ୟ ଖବରକୁ ଚାଞ୍ଚଲ୍ୟକର କରନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡର ସିଲକିୟାରାରେ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିବା ଫଳରେ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ | ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା ପାଇଁ ଦିନରାତି ଚାଲିଛି କାର୍ଯ୍ୟ । ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଦେଶର ଟିଭି ଚ୍ୟାନେଲଗୁଡିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏ ମର୍ମରେ ଏକ ଉପଦେଶାବଳି ଜାରି କରାଯାଇଛି। ଏହା ମୁଖ୍ୟତଃ ଟିଭି ଚ୍ୟାନେଲଗୁଡିକ ପାଇଁ ଉଦ୍ଦିଷ୍ଟ। ଏଥିରେ କୁହାଯାଇଛି ଯେ, ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବର ଓ ଚିତ୍ର ପ୍ରସାରଣ ବେଳେ ଟିଭି ଚ୍ୟାନେଲଗୁଡିକ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଏହା ଚାଞ୍ଚଲ୍ୟକର ଯେପରି ନ ହୁଏ ସେଥିପ୍ରତି ସାବଧାନ ରହିବା ଆବଶ୍ୟକ। ଟନେଲର ଅତି ଆଖପାଖରୁ କୌଣସି ଲାଇଭ ପୋଷ୍ଟ/ଭିଡିଓ ପ୍ରସାର ନ କରିବାକୁ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦେଇଛି। ଆହୁରି ମଧ୍ୟ ଟନେଲ ପାଖରେ କ୍ୟାମେରାମ୍ୟାନ, ରିପୋର୍ଟରଙ୍କ ଉପସ୍ଥିତି ଓ ବିଭିନ୍ନ ଉପକରଣ ରଖିବାକୁ ମନା କରାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ସ୍ଥାନରେ ଭିଡ ଜମାଇଲେ ଏହି କାମରେ ବ୍ୟାଘାତ ଘଟିବ। ତେଣୁ ଟନେଲ ଭିତରେ ଅଟକି ରହିଥିବା ମଣିଷଙ୍କୁ ଉଦ୍ଧାର କରିବାରେ କୌଣସି ପ୍ରତିବନ୍ଧକ ଯେପରି ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସେଠାରେ ଯେଉଁ ମାନବୀୟ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ତାହାକୁ ସମ୍ମାନ ଦେଇ ଏଭଳି ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ମନ୍ତ୍ରଣାଳୟ କହିଛି।

Breaking News