Report Card Odisha

| Daily Odia News

ଆଜିଠୁ କାର୍ତ୍ତିକ ପଞ୍ଚୁକ ବ୍ରତ…..

ରିପୋର୍ଟ କାର୍ଡ / ପୁରୀ

ଆଜିଠାରୁ ପଞ୍ଚୁକ | ଶ୍ରୀମନ୍ଦିରରେ ଗୁରୁବାରଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଏହି ପାଞ୍ଚଦିନ ଆକର୍ଷଣୀୟ ବେଶ କରାଯିବ। ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବଢିଥାଏ | ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡର ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ଭକ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ୩ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି ଏବଂ ୧୫ ଇନ୍ସପେକ୍ଟରଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଗୁରୁବାର ମହାପ୍ରଭୁଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ କରାଯିବ। ଏହାଛଡ଼ା ହରି ଉତ୍‌ଥାପନ ନୀତି ଅନୁଷ୍ଟିତ ହେବ। ୨୪ ତାରିଖ ଶୁକ୍ରବାର ପ୍ରଭୁଙ୍କୁ ବାଙ୍କଚୂଡ଼ ବା ବାମନ ବେଶ କରାଯିବ। ସେଦିନ ଗରୁଡ଼ ଉତ୍‌ଥାପନ ନୀତି ଅନୁଷ୍ଠିତ ହେବ। ୨୫ ତାରିଖ ଶନିବାର ଡାଳିକିଆ ତଥା ତ୍ରିବିକ୍ରମ ବେଶ ଏବଂ ୨୬ ତାରିଖ ରବିବାର ଶ୍ରୀଜୀଉଙ୍କୁ ଲକ୍ଷ୍ମୀ ନୃସିଂହ କରାଯିବ। ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ (ସୁନା ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେବେ ପରଂବ୍ରହ୍ମ। କାର୍ତ୍ତିକ ମାସର ପଞ୍ଚୁକ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏହାଛଡ଼ା ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରାୟ ୫ହଜାର ହବିଷ୍ୟାଳି ଆସି ପହଞ୍ଚିଛନ୍ତି। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛି ପ୍ରଶାସନ। ମନ୍ଦିର ଭିତରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗହଳି ସ୍ଥାନରେ ଶତାଧିକ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ମରିଚିକୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଉଠା ଦୋକାନଗୁଡ଼ିକ ୫ଦିନ ବନ୍ଦ ପାଇଁ ପ୍ରଶାସନ ନିର୍ଦେଶ ଦେଇଛି। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ କୁମାର ସିଂହ, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ଦର୍ଶନ ବ୍ୟବସ୍ଥା ତଦାରଖ କରୁଛନ୍ତି।

Breaking News