ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ସାଂସଦ ଦାନିଶ ଅଲୀଙ୍କୁ ଦଳରୁ ନିଲମ୍ବନ କରିଛି ବହୁଜନ ସମାଜବାଦୀ ପାର୍ଟି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସ୍ପି ନିଲମ୍ବନ କରାଯାଇଥିବା ଜଣାପଡିଛି। ଦଳ ପକ୍ଷରୁ ଦାନିଶ ଅଲୀଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି,‘ଆପଣଙ୍କୁ ଅନେକ ଥର ମୌଖିକ ଭାବେ କୁହାଯାଇଥିଲା ଯେ ଦଳର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧରେ ଯାଇ କୌଣସି ବୟାନ ଦିଅନ୍ତୁ ନାହିଁ କି କୌଣସି କାମ କରନ୍ତୁ ନାହିଁ। ଏହା ସତ୍ତ୍ୱେ ଆପଣ ଲଗାତାର ଦଳ ବିରୋଧରେ ଯାଇ ସେହି ସବୁ କାମ କରୁଛନ୍ତି । ୨୦୧୮ରେ ଆପଣ ଜେଡି (ଏସ୍) ନେତା ଏଚ୍ଡି ଦେବଗୌଡ଼ାଙ୍କ ସହିତ କାମ କରୁଥିଲେ। ସେତେବେଳେ ଉଭୟ ବିଏସ୍ପି ଓ ଜେଡି (ଏସ୍) ମିଶି କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଲଢ଼ିଥିଲେ। କର୍ଣ୍ଣାଟକା ନିର୍ବାଚନ ପରେ ଆପଣଙ୍କୁ ଅମରୋହାରୁ ଟିକେଟ୍ ଦିଆଯାଇଥିଲା। ଦେବଗୌଡ଼ା କହିବା ଯୋଗୁ ଆପଣଙ୍କୁ ଟିକେଟ୍ ଦିଆଯାଇଥିଲା। ଦେବଗୌଡ଼ା ଏହା ମଧ୍ୟ କହିଥିଲେ ଯେ ଆପଣ ବିଏସ୍ପି ପାଇଁ କାମ କରିବେ। ସେହି ଆଧାରରେ ଆପଣଙ୍କୁ ଟିକେଟ୍ ଦିଆଯାଇଥିଲା। ଅମରୋହାରୁ ବିଜୟୀ ହେବା ସତ୍ତ୍ୱେ ଆପଣ ସମସ୍ତ ପ୍ରତିଶ୍ରୁତି ଭୁଲି ଗଲେ ଓ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଲେ। ତେଣୁ ଦଳ ଆପଣଙ୍କୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।’ମିଳିଥିବା ସୂଚନା ଅନୁଯାୟୀ, ସଂସଦରେ କଂଗ୍ରେସକୁ ସମର୍ଥନ କରିବାରୁ ଦାନିଶ ଅଲୀଙ୍କୁ ବିଏସ୍ପି ନିଲମ୍ବନ କରିଛି। କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଦାନିଶ ଅଲୀଙ୍କୁ ସମର୍ଥନ କରୁଛି। ସେଥିପାଇଁ ବିଏସ୍ପି ମୁଖ୍ୟ ମାୟାବତୀ ବହୁବାର ତାଙ୍କୁ ତାଗିଦ କରିଥିଲେ । ଗତ ସେପ୍ଟେମ୍ବର ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ବେଳେ ଦାନିଶ ଅଲୀଙ୍କ ବିରୋଧରେ ଅରୁଚିକର ମନ୍ତ୍ୟ ଦେଇଥିଲେ ବିଜେପି ସାଂସଦ ରମେଶ ବିଧୂରୀ। ତା’ପରେ ଦାନିଶ ଅଲୀ ଖବରରେ ରହିଥିଲେ।






More Stories
ଅଶୋଧିତ ତୈଳ ଉପରୁ କଟକଣା ହଟାଇଲା ଆମେରିକା…..
ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ…..
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..