Report Card Odisha

| Daily Odia News

ବିଧାୟକ ଅମାନତୁଲ୍ଲାଙ୍କୁ ମିଳିଲା ଜାମିନ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ଆପ୍‌ ନେତାଙ୍କୁ ମିଳିଲା ଜାମିନ୍‌। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବାରମ୍ବାର ସମନ ପରେ ମଧ୍ୟ ଏହି ଆପ୍ ବିଧାୟକ ହାଜର ହେଉନଥିଲେ। ଏହାପରେ କୋର୍ଟରେ ଏନେଇ ଏକ ଅଭିଯୋଗ ହୋଇଥିଲା। ପରେ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଥିଲେ। ବିଧାୟକଙ୍କୁ କୋର୍ଟରେ ହାଜର ହେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରି ଆଜି ଆପ୍‌ ନେତା ହାଜର ହୋଇଥିଲେ। ଏହାପରେ ତାଙ୍କୁ ଜାମିନ ମିଳିଥିଲା। ନିକଟରେ ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତ ଓ ସମ୍ପତ୍ତି ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆପ୍‌ ବିଧାୟକଙ୍କୁ ୬ ଥର ସମନ କରିଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଏହାପରେ ଏପ୍ରିଲ ୧୮ ତାରିଖରେ ହାଇକୋର୍ଟ ତାଙ୍କୁ ତଦନ୍ତରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପ୍‌ ବିଧାୟକ ଇଡି କାର୍ଯ୍ୟାୟଳରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। କହିରଖୁ ଯେ, ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନୁତୁଲ୍ଲା ଖାନ୍‌ ବେଆଇନ୍‌ ନିଯୁକ୍ତି ମାଧ୍ୟମରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ। ତାଙ୍କ ସହଯୋଗୀଙ୍କ ନାମରେ ଅସ୍ଥାବର ସମ୍ପତ୍ତି କ୍ରୟ କରିବାରେ ଏହି ଅର୍ଥ ବ୍ୟବହାର କରିଥିଲେ। ଏହି ମାମଲାରେ ସିବିଆଇ ଏକ ଏଫ୍‌ଆଇଆର୍‌ ଦାଖଲ କରିଥିଲା। ଏହାକୁ ଆଧାର କରି ଇଡି ଅମାନତୁଲ୍ଲା ଖାନଙ୍କ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

 

 

Breaking News