ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଉ ଦିନକ ପରେ ରାଷ୍ଟ୍ରପତି ନିର୍ବାଚନ | ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚନରେ ସମର୍ଥନ କରିବନି ଆମ୍ ଆଦମୀ ପାର୍ଟି। ଏନେଇ ଆଜି ଅପରାହ୍ନରେ ଅନୁଷ୍ଠିତ ଆମ୍ ଆଦମୀ ପାର୍ଟିର ରାଜନୈତିକ ପରାମର୍ଶଦାତା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଆପ୍ ସମର୍ଥନ କରିବାକୁ ବୈଠକରେ ଘୋଷଣା କରିଛି। ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦଳ ସମର୍ଥନ କରିବ। ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ। କିନ୍ତୁ ଆମେ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବୁ। ସୂଚନାନୁସାରେ, ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ପଞ୍ଜାବରୁ ଆପର ସାଂସଦ ଥିବା ରାଘବ ଚଢ଼ା ଏବଂ ବିଧାୟକ ଅତିସୀଙ୍କ ସମେତ ପିଏସିର ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ହେବ। ଏହା ପୂର୍ବରୁ ଆପ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଉଲ୍ଲେଖ ଯୋଗ୍ୟ-ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମିଳିତ ବିରୋଧୀ ଦଳର ପ୍ରାର୍ଥୀ ସିହ୍ନାଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’ ମଧ୍ୟ ସମର୍ଥନ କରୁଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..