Report Card Odisha

| Daily Odia News

ଫେସ୍‌ବୁକ୍‌ ଲାଇଭରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା….

ରିପୋର୍ଟ କାର୍ଡ / ମୁମ୍ବଇ

ଫେସବୁକରେ ଲାଇଭ କରୁଥିଲେ ଉଦ୍ଧବ ଠାକରେଙ୍କ ଶିବସେନାର ଜଣେ ନେତା। ସାଥୀରେ ଆଉ ଜଣେ ମଧ୍ୟ ଥିଲେ। ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍‌ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁଳି କରିଥିଲେ। ଏହାପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଆତ୍ମହତ୍ୟା କରିଥିଲେ। ଗୁଳିମାଡ଼ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ଦହିସର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁସାରେ, ଅଭିଷେକ ହେଉଛନ୍ତି ଶିବସେନା ନେତା ବିନୋଦ ଘୋସାଲକରଙ୍କ ପୁଅ। ଗୁରୁବାର ସନ୍ଧ୍ୟାରେ ସେ ମାଉରିସ ଭାଇ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଫେସବୁକ ଲାଇଭ କରୁଥିଲେ। କିଛି ସମୟ ପରେ ମାଉରିସ ଭାଇ ଲାଇଭରୁ ଉଠି ଚାଲି ଯାଇଥିଲେ। କିନ୍ତୁ ସେ ପୁଣି ଆସିବା ସହ ଲାଇଭ ଭିଡିଓ ଚାଲିଥିବା ବେଳେ ଅଭିଷେକଙ୍କ ଉପରକୁ ଗୁଳି କରିଥିଲେ। ସେ ୩ ରାଉଣ୍ତ ଗୁଳି ଚଳାଇବା ପରେ ବନ୍ଧୁକ ନିଜ ମୁଣ୍ଡରେ ରଖି ଫୁଟାଇ ଦେଇଥିଲେ। ପୋଲିସ କହିଛି ଯେ ମୁଣ୍ଡରେ ଗୁଳିମାଡ଼ ଯୋଗୁ ମାଉରିସ ଭାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ୩ଟି ଗୁଳିମାଡ଼ରେ ଆହତ ହୋଇଥିବା ଅଭିଷେକଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କିଛି ଦିନ ତଳେ ଅଭିଷେକ ଓ ତାଙ୍କୁ ହତ୍ୟା କରିଥିବା ମାଉରିସ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଉଭୟ ପରସ୍ପର ସହ ବୁଝାମଣା କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ହୋଇଥିଲା। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

Breaking News