Report Card Odisha

| Daily Odia News

ଆଜି ପ୍ରକାଶ ପାଇବ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି,ଆଦର୍ଶରେ ଦିଆଯିବ ୧୭ଶହ ନୂଆ ନିଯୁକ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ବିଭିନ୍ନ ହାଇ ସ୍କୁଲରେ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ୬ ହଜାର ୬ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆହୁରି ୧୩ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବାବେଳେ ଏନେଇ ବିଜ୍ଞପ୍ତି ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ। ତେବେ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୧୧ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ସହିତ ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ମଧ୍ୟ ପାଖାପାଖି ୧୭ ଶହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‘୫-ଟି’ ଯୋଜନା ଅଧୀନସ୍ଥ ହାଇ ସ୍କୁଲ ରୂପାନ୍ତରଣରେ ସରକାରୀ ସ୍କୁଲ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧ ହଜାର ୩୩୯ ଶିକ୍ଷକଙ୍କ ନିଯୁକ୍ତି ବିଜ୍ଞପ୍ତିରେ ୬ ହଜାର ୬ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏଥିରେ ବିଭାଗ ବ୍ୟାପକ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରିଛି। ସିବିଟି ମାଧ୍ୟମରେ ଦକ୍ଷତା ଅନୁଯାୟୀ ଶିକ୍ଷକଙ୍କୁ ଚୟନ କରାଯାଇଥିବାବେଳେ ତିନି ପର୍ଯ୍ୟାୟରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇ ସେମାନଙ୍କୁ ନିଯୁକ୍ତ କରାଯାଇଛି। ନୂତନ ଶିକ୍ଷକମାନଙ୍କୁ ମୁଖ୍ୟତଃ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରାଯାଇଥିବାବେଳେ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ଲାଗି ସେମାନଙ୍କ ଇଚ୍ଛା ମୁତାବକ ଜିଲ୍ଲା ଚୟନ କରିଛନ୍ତି। ତେବେ ମେଧା ଭିତ୍ତିରେ ଶିକ୍ଷକମାନଙ୍କୁ ଜିଲ୍ଲା ଅବଣ୍ଟନ କରାଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦର୍ଶାଇଛି। ଯଦିଓ ଶେଷ ପର୍ଯ୍ୟାୟ ନିଯୁକ୍ତି ସୁଦ୍ଧା ୬ ହଜାର ୧୩୧ ଜଣଶିକ୍ଷକ ଚୟନ ହୋଇଥିଲେ କିଛି ଶିକ୍ଷକ ଜାଲ୍‍ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେନ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟର ଯାଞ୍ଚ ପ୍ରକ୍ରିୟାରେ କିଛି ଶିକ୍ଷକ ନିଯୁକ୍ତିରୁ ବାଦ୍‍ ପଡ଼ିଛନ୍ତି। ସେହିପରି ଚୟନ ହୋଇଥିବା କିଛି ଶିକ୍ଷକ ମଧ୍ୟ ଶିକ୍ଷାନୁଷ୍ଠାନରେ ଯୋଗ ଦେଇ ନାହାନ୍ତି। ଏହି କ୍ରମରେ ସମୁଦାୟ ୧୨୫ ଜଣ ଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତି। ୧୧,୩୩୯ ପଦରେ ସମୁଦାୟ ୬୦୦୬ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କହିଛି। ସୂଚନାଥାଉକି, ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଁ ଚଳିତ ବର୍ଷ ଅଗଷ୍ଟ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୨୬୦ ଖେଳ ଶିକ୍ଷକ, ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୨୫ ତେଲୁଗୁ, ୩୧୩୬ କଳା ଶିକ୍ଷକ, ୧,୭୧୭ ସିବିଜେଡ୍‍, ୧୮୪୨ ପିସିଏମ ଆଦିକୁ ମିଶାଇ ମୋଟ୍‍ ୧୧ ହଜାର ୩୩୯ ଶିକ୍ଷକ ନିଯୁକ୍ତି ଲାଗି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ତେବେ ଏଥିରେ ପ୍ରାୟ ୨ହଜାର ୨ଶହ ଜଣ କଳା ଶିକ୍ଷକ ଥିବାବେଳେ ୧୭ଶହରୁ ଅଧିକ ବିଜ୍ଞାନ, ୮ଶହ ହିନ୍ଦୀ, ପ୍ରାୟ ୮ଶହ ପିଇଟି ଓ ୩ଜଣ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ଆଦର୍ଶ ବିଦ୍ୟାଳୟର ୧୭୪୯ ପଦ ସହିତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୧୧ ହଜାର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ନିଯୁକ୍ତି ପ୍ରକ୍ରିୟା ମଧ୍ୟ ପୂର୍ବ ଭଳି ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୬ ତାରିଖରେ ଆରମ୍ଭ ହୋଇ ଫେବୃଆରୀ ୫ରେ ସରିବ।

 

 

Breaking News