Report Card Odisha

| Daily Odia News

ପୁଣି ବଦଳିବ ଆଫଗାନିସ୍ତାନର ନାଁ ‘ଇସ୍‌ଲାମିକ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନ’….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୨୦ ବର୍ଷ ପରେ ତାଲିବାନ ଶାସନ ଫେରିବାକୁ ଯାଉଛି | ଆଫ୍‌ଗାନିସ୍ତାନ ହାତରୁ ଶାସନକୁ ଛଡାଇ ନେଇଛି ତାଲିବାନ | ଏବେ ତାଲିବାନର ଶୀର୍ଷ ନେତା ମୁଲ୍ଲା ଅବଦୁଲ ଘନି ବରାଦାର ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି। ୧୯୬୮ରେ ଜନ୍ମିତ ତାଲିବାନର ସଂସ୍ଥାପକ ନେତା ବରାଦାରଙ୍କୁ ୨୦୧୦ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କରାଚୀରୁ ଗିରଫ କରିଥିଲା। ତେବେ ଆମେରିକାର ଅନୁରୋଧକ୍ରମେ ୨୦୧୮ରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏବେ ବରାଦାର ତାଲିବାନର ମୁଖ୍ୟ ସଂଚାଳକ ପଦରେ ରହିଛନ୍ତି | ତାଙ୍କୁ ହିଁ ରାଷ୍ଟ୍ରପତି କରାଯିବାକୁ ବରିଷ୍ଠ କମାଣ୍ଡରମାନେ ମତ ରଖିଛନ୍ତି। ୧୯୮୦ ଦଶକରେ ସୋଭିଏତ ସେନା ବିରୋଧରେ ବରାଦାର ଆଫଗାନ ମୁଜାହିଦ୍ଦିନ ବାହିନୀ ମାଧ୍ୟମରେ ଲଢ଼େଇ କରିଥିଲେ। ସୋଭିଏତ ସେନା ଆଫଗାନ ଛାଡ଼ିବା ପରେ ୧୯୯୪ରେ ବରାଦାର ତାଲିବାନ ସ୍ଥାପନ କରିଥିଲେ। ପାକିସ୍ତାନ ସମର୍ଥନରେ ତାଲିବାନ ୧୯୯୬ରେ ଗୋଟିଏ ପରେ ଗୋଟିଏ ପ୍ରଦେଶର ରାଜଧାନୀ ଦଖଲ କରି ସମଗ୍ର ଦେଶର କ୍ଷମତା ନିଜ ନିୟନ୍ତ୍ରଣକୁ ନେଇଥିଲା ଏବଂ ୫ ବର୍ଷ ଶାସନ କରିଥିଲା। ପୂର୍ବରୁ ତାଲିବାନ ଶାସନ ସମୟରେ ବରାଦାର ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ। ଏବେ ତାଲିବାନର ଦ୍ବିତୀୟ ପାଳି ଶାସନରେ ଆଫଗାନିସ୍ତାନକୁ ‘ଇସ୍‌ଲାମିକ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନ’ ଭାବେ ଘୋଷଣା କରାଯିବ। ପୂର୍ବରୁ ମଧ୍ୟ ତାଲିବାନ ଶାସନ ସମୟରେ ଆଫଗାନିସ୍ତାନ ଏହି ନାମରେ ପରିଚିତ ଥିଲା।

Breaking News