Report Card Odisha

| Daily Odia News

କ୍ରାଇମ ବ୍ରାଞ୍ଚରେ ଏଫ୍‌ଆଇଆର୍‌ ହେବ:ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଘଟଣାରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚର ଏସ୍‌ପିଙ୍କ ନିକଟରେ ଏଫ୍‌ଆଇଆର୍‌ ଦାଖଲ କରିବା ପାଇଁ ଏସ୍‌ସିଇଆର୍‌ଟି (SCERT) ନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି |ସୂଚନାନୁସାରେ,ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର କାରଣ ଅନୁସନ୍ଧାନ କରିବା ପାଇଁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ରିପୋର୍ଟରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ଗୁରୁତର ଅବହେଳା ଏବଂ ଅନିୟମିତତା ସାମ୍ନାକୁ ଆସିଥିଲା।ରିପୋର୍ଟ ଆଧାରରେ ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ପାଢ଼ୀ, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡ଼ୁଙ୍କୁ ନିଲମ୍ବନ କରାଯାଇଛି। ଏହାବ୍ୟତୀତ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ସୀମିତ ନରହି ସମଗ୍ର ଘଟଣାର ଅପରାଧିକ ଦିଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ କ୍ରାଇମ ବ୍ରାଞ୍ଚରେ ଏଫ୍‌ଆଇଆର୍‌ ରୁଜୁ କରାଯିବ ଏବଂ ତଦନ୍ତରେ ଯେଉଁମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ ସେମାନଙ୍କ ବିରୋଧରେ ଆଇନାନୁଗ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।ପାଠ୍ୟପୁସ୍ତକରେ ଘଟିଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ଏହା ପଛରେ ଯଦି କୌଣସି ଷଡ଼ଯନ୍ତ୍ର କିମ୍ବା ଜାଣିଶୁଣି ଅବହେଳା ଥିବା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ।

Breaking News