ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମ-ସମ୍ପର୍କ ଥିବା ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ଫେରାର ହୋଇଯାଇଥିବା କାରଣରୁ ଉତ୍ତ୍ୟକ୍ତ ହୋଇ ଉତ୍ତର ପ୍ରଦେଶ ଆଗ୍ରାରେ ଦଳେ ଲୋକ ଶୁକ୍ରବାର ଦିନ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କର ୨ଟି ଘରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଚରମପନ୍ଥୀ ସଂଗଠନ ‘ଧରମ ଜାଗରଣ ସମନ୍ବୟ ସଂଘ’ର ସଦସ୍ୟମାନେ ଆଗ୍ରାର ରୁନକ୍ତା ଅଞ୍ଚଳର ‘ଜିମ୍’ ମାଲିକ ସାଜିଦ୍ଙ୍କର ଘର ପୋଡ଼ି ପକାଇଛନ୍ତି। ସାଜିଦ୍ଙ୍କ ଘର ପାଖରେ ଥିବା ତାଙ୍କର ଆଉ ଗୋଟାଏ ଘରକୁ ମଧ୍ୟ ସେମାନେ ପୋଡ଼ି ଦେଇଛନ୍ତି। ଯୁବତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରି ସେମାନେ ସାଜିଦଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଉତ୍ତ୍ୟକ୍ତ ଜନତାଙ୍କ ଦାବିରେ ଶୁକ୍ରବାର ଦିନ ସ୍ଥାନୀୟ ବଜାରର ଦୋକାନ ସବୁ ବନ୍ଦ ରଖାଯାଇଥିଲା। ଏହି ଆକ୍ରମଣରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ପୋଲିସ ଅବହେଳାରୁ ଘଟଣାଟି ଘଟିଥିବା କାରଣରୁ ଫାଣ୍ଡି ଅଧିକାରୀଙ୍କ ନିଲମ୍ବିତ କରାଯିବା ସହ ସିକନ୍ଦରା ଷ୍ଟେସନ୍ ହାଉସ ଅଧିକାରୀଙ୍କ ବିରୋଧରେ ତଦନ୍ତ ଆଦେଶ ଦିଆଯାଇଛି। ଆଗ୍ରାର ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସୁଧୀର କୁମାର ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି, ଦୋଷୀ ସାବ୍ୟସ୍ଥ ହେଲେ ତାଙ୍କ ବିରୋଧ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବାର ତରଫରୁ ରିପୋର୍ଟ ଦାଏର ହେବା ପରେ ସୋମବାରଠାରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଉକ୍ତ ଯୁବତୀଙ୍କୁ ପୋଲିସ ୨ ଦିନ ପରେ ଠାବ କରିଛି, କିନ୍ତୁ ଏପର୍ଯ୍ୟନ୍ତ ସାଜିଦ୍ର ପତ୍ତା ମିଳିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ଉକ୍ତ ଯୁବତୀଜଣକ କହିଛନ୍ତି, ସେ ଜଣେ ସାବାଳିକା ହୋଇଥିବାରୁ ସ୍ବଇଚ୍ଛାରେ ସେ ଲୋକଟି ସହ ପଳାଇଥିଲେ। ଉଭୟ ପ୍ରାପ୍ତ ବୟସ୍କ (ସାବାଳକ/ସାବାଳିକା) ବୋଲି ସାମ୍ବାଦିକମାନଙ୍କୁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସୁଧୀର କୁମାର ସିଂହ ସୁନିଶ୍ଚିତ କରି କହିଛନ୍ତି। ପୁଲିସ ସେ ଯୁବତୀଙ୍କୁ ଅଦାଲତରେ ହାଜର କରାଇବ। ଚଳିତ ସପ୍ତାହରେ ପର୍ବପର୍ବାଣିଜନିତ ଛୁଟି ପଡ଼ିବାରୁ ଏପର୍ଯ୍ୟନ୍ତ ତାଙ୍କୁ ଅଦାଲତକୁ ନିଆଯାଇପାରି ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଘର ପୋଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ‘ଏଫ୍ଆଇଆର୍’ ପଞ୍ଜିକୃତ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।






More Stories
ପୋଲିସ ଗାଡି ପୋଡିଲେ କର୍ମଚାରୀ….
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..