ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶରେ ଲଖିଲପୁର ଖେରୀରେ ପ୍ରତିବାଦରତ କୃଷକମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ପୁଅ ଆଶିଷ ମିଶ୍ରା ଗାଡ଼ି ଚଢ଼ାଇ ଥିବା ଅଭିଯୋଗ ହେଉଛି | ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର କରାଯାଉ ବୋଲି ଆଜି ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିଥିଲେ। ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ସରକାରଙ୍କ ସହ କଥାବର୍ତ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଥା କଂଗ୍ରେସ କହିଛି। ସ୍ମରଣଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ପ୍ରତିବାଦକାରୀ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଅଜୟଙ୍କୁ ବହିଷ୍କାର କରିବା ଲାଗି କଂଗ୍ରେସ ଦାବି କରୁଛି। ପ୍ରିୟଜନଙ୍କୁ ହରାଇଥିବା ସମ୍ପୃକ୍ତ କୃଷକ ପରିବାରବର୍ଗ ମଧ୍ୟ ଏହା ଦାବି କରୁଛନ୍ତି ବୋଲି କଂଗ୍ରେସ କହିଛି। ରାଷ୍ଟ୍ରପତିଙ୍କୁ ଭେଟି ଫେରିବା ପରେ ସାମ୍ବାଦିକମାନଙ୍କୁ ରାହୁଲ୍ ଗାନ୍ଧୀ କହିଲେ, ଲକ୍ଷ୍ମୀପୁର ଘଟଣାକୁ ସୁପ୍ରିମ୍ କୋର୍ଟରେ କାର୍ଯ୍ୟରତ ଦୁଇଜଣ ବିଚାରପତି ତଦନ୍ତ କରିବା ଉଚିତ। ନରହତ୍ୟାକାରୀମାନଙ୍କ ପ୍ରତି ଦଣ୍ଡବିଧାନ ହେବା ଆବଶ୍ୟକ। ରାଷ୍ଟ୍ରପତିଙ୍କୁ ଭେଟିଥିବା କଂଗ୍ରେସ ପ୍ରତିନିଧି ଦଳରେ ଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏକେ ଆଣ୍ଟୋନି, ମଲ୍ଲକାର୍ଜୁନ ଖଡ୍ଗେ, କେସି ବେଣୁଗୋପାଳ, ଗୁଲାମ ନବି ଆଜାଦ ଏବଂ ଅଧୀରରଞ୍ଜନ ଚୌଧୁରୀ।
Discussion about this post