ରିପୋର୍ଟ କାର୍ଡ / ପୁରୀ
ରାଜ୍ୟ ସରକାରଙ୍କର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ଼ ଜିଲ୍ଲାରେ ଏହି ଯୋଜନାର ଆରମ୍ଭ କରିଛନ୍ତି। ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ଼ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗାଁରେ ଆସିବ ସମୃଦ୍ଧି। ଏହା ହେଉଛି ଏକବିଂଶ ଶତାବ୍ଦୀର ଓଡ଼ିଶା ପାଇଁ ଆମର ସଂକଳ୍ପ। ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବା ସହ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗାଁରେ ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ସୂଚନା ଦେଇଥିଲେ।






More Stories
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..