Report Card Odisha

| Daily Odia News

ଅମରିନ୍ଦ ଘୋଷଣା କଲେ ନୂଆଦଳ…..

ରିପୋର୍ଟ କାର୍ଡ / ପଞ୍ଜାବ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମଙ୍ଗଳବାର ତାଙ୍କ ନୂଆ ପାର୍ଟି ଘୋଷଣା କରିଛନ୍ତି। କ୍ୟାପ୍ଟେନ ତାଙ୍କ ପାର୍ଟିର ନାମ ‘ପଞ୍ଜାବ ଲୋକ କଂଗ୍ରେସ’ ରଖିଛନ୍ତି। ଏହା ସହ ସେ କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଦେଇଛନ୍ତି। ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇବା ସହ ଏକ ଦୀର୍ଘ ଚିଠି ମଧ୍ୟ ଲେଖିଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ଭାବେ ନଭଜ୍ୟୋତ ସିଦ୍ଧୁଙ୍କ ନିଯୁକ୍ତି ଓ ପରେ ଉପୁଜିଥିବା ବିବାଦରେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେଇ ନୂଆ ରାଜନୈତିକ ଯାତ୍ରା ଲାଗି ନିଷ୍ପତ୍ତି ନେଇଥିଲେ। କଂଗ୍ରେସ ସହ ପର୍ଦ୍ଦା ଆଢୁଆଳରେ କଥାବାର୍ତ୍ତାକୁ ନେଇ ଅମରିନ୍ଦର ସିଂହ ଏବେ ବୁଝାସୁଝାର ସମୟ ସମାପ୍ତ ହୋଇସାରିଛି ବୋଲି କହିଛନ୍ତି। ଏଣୁ ତାଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ସ୍ପଷ୍ଟ କରିଦେଇଛନ୍ତି। ତେବେ କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ ନୂଆ ପାର୍ଟି ଗଠନ କରିବେ ବୋଲି ଘୋଷଣା କରିସାରିଥିଲେ। ଅମରିନ୍ଦରଙ୍କ ପାର୍ଟିକୁ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନେ ଆସିବେକି ବୋଲି ସେତେବେଳେ ତାଙ୍କୁ ପଚରା ଯାଇଥିଲା। ତେବେ ପ୍ରସଙ୍ଗରେ ସେ ନିରୁତର ରହିଥିଲେ। ଦଳରେ ତାଙ୍କ ସମର୍ଥକଙ୍କୁ ନିର୍ଯାତନା ଦିଆଯାଉଥିବାର ସେ କହିଥିଲେ। ଏଣୁ ପ୍ରସଙ୍ଗରେ ବିଶେଷ ଆଲୋଚନା କରିନଥିଲେ। ହେଲେ ଏବେ କ୍ୟାପ୍ଟେନ ତାଙ୍କ ଦଳର ନାମ ଘୋଷଣା କରିସାରିଥିବାରୁ ଆଗକୁ ସଦସ୍ୟଙ୍କ ନାମ ମଧ୍ୟ ଧିରେ ଧିରେ ଆସିଯିବ ବୋଲି ସେ କହିଛନ୍ତି। ଆଗାମୀ ବର୍ଷ ପ୍ରାରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନ। ଏଣୁ ଅମରିନ୍ଦରଙ୍କ ପାର୍ଟି ଅନ୍ୟ ରାଜନୈତିକ ଦଳ ସହ କାନ୍ଧକୁ କାନ୍ଧ ମିଳାଇ ଲଢିବ ବୋଲି ସେ କହିଛନ୍ତି।

Breaking News