Report Card Odisha

| Daily Odia News

ରାଜ୍ୟରେ ୩ ଦିନ ପ୍ରବଳ ଶୀତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତଳକୁ ଖସିପାରେ | ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରବିବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ସୋମବାର ଏହା ୭ ଡିଗ୍ରୀକୁ ଖସିଛି। ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ ପାରଦ କମିଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଖସିଛି । ମଙ୍ଗଳବାର ଏହା ଜାରି ରହିପାରେ । ୫ କିମ୍ବା ୬ ତାରିଖରୁ ରାଜ୍ୟରେ ଶୀତ କମିବ । ସେହିଭଳି ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୧.୬ଡିଗ୍ରୀ ପାରଦ କମ୍‌ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ମଙ୍ଗଳବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି ଓ ଗଞ୍ଜାମରେ କୁହୁଡ଼ି ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୫ ତାରିଖରୁ ରାଜ୍ୟରେ ଶୀତ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଶୀତ କମିବ । ଉତ୍ତର ଉପକୂଳରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ । ଦକ୍ଷିଣ ଉପକୂଳରେ ୨ରୁ ୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ଡିଗ୍ରୀ ବଢ଼ିଯିବ ବୋଲି ସେ କହିଛନ୍ତି । ସେହିଭଳି ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

Breaking News