ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ମେ ୧୯ର ଅଧ୍ୟାଦେଶକୁ ବିରୋଧ କରି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ରବିବାର ରାମଲୀଳା ମୈଦାନରେ ‘ମହାରୢାଲି’ର ଅନୁଷ୍ଠିତ ହୋଇଛି। ଏହି ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଦୁର୍ନୀତି ବିରୋଧରେ ଭାରତ’ ଆନ୍ଦୋଳନ ଅବସରରେ ଆମେ ୧୨ ବର୍ଷ ପୂର୍ବେ ଏହି ରାମଲୀଳା ମୈଦାନରେ ଏକାଠି ହୋଇଥିଲୁ। ଆଜି ଏକଚ୍ଛତ୍ରବାଦୀ ଶାସନକୁ ହଟାଇବା ପାଇଁ ଆମେ ଏଠାରେ ପୁଣି ଏକାଠି ହୋଇଛୁ। ଏହି ଅଭିଯାନ ମଧ୍ୟ ଫଳପ୍ରଦ ହେବ। କହିଛନ୍ତି, ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶ ମାନିବାକୁ ରାଜି ନୁହନ୍ତି। ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଜଣେ ପ୍ରଧାନମନ୍ତ୍ରୀ ଏତେ ଅହଙ୍କାରୀ ହୋଇପାରନ୍ତି! ମୋଦୀଜୀଙ୍କ ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛି। ଏଭଳି ‘ହିଟ୍ଲରବାଦ’ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ ବୋଲି କେଜ୍ରିୱାଲ କହିଛନ୍ତି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୁଁ ଏହି ଅଧ୍ୟାଦେଶକୁ ବାତିଲ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବି ବୋଲି କେଜ୍ରିୱାଲ ବାହୁସ୍ଫୋଟ ମାରିଛନ୍ତି। ସେ କହିଛନ୍ତି, ଏପରି ଅଧ୍ୟାଦେଶ କେବଳ ଦିଲ୍ଲୀରେ ନୁହେଁ, ଖୁବ୍ ଶୀଘ୍ର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଲାଗୁ ହୋଇପାରେ। କେଜ୍ରିୱାଲ ଆହୁରି କହିଛନ୍ତି, ମୋଦୀଙ୍କ କାର୍ଯ୍ୟର ୨୧ ବର୍ଷ ଏବଂ ମୋର ୮ ବର୍ଷ କାର୍ଯ୍ୟର ତୁଳନା କରନ୍ତୁ। ମୋଦୀଙ୍କ ତୁଳନାରେ ମୁଁ ଅଧିକ କାମ କରିଛି, ଯଦିଚ ମୋର ମୋଦୀଙ୍କ ପରି ଏତେ କ୍ଷମତା ନାହିଁ। ସେମାନେ ଜଣେ ମନିଷ ସିସୋଦିଆଙ୍କୁ ଜେଲରେ ପୂରାଇଛନ୍ତି, ଆମ ପାଖରେ ଆହୁରି ୧୦୦ ସିସୋଦିଆ ଅଛନ୍ତି। ମହାରୢାଲି ଉପଲକ୍ଷେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୋଲିସ କହିଛି।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..