Report Card Odisha

| Daily Odia News

ମୋ ସରକାରରେ କେହି ଆଇନ ଉପରେ ନଥିଲେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ଡ୍ୟୁଟି ସମୟରେ ମାଡ଼ ମାରିଲେ ଓ ଅପମାନିତ କଲେ। ଏନେଇ ଉକ୍ତ ଅଧିକାରୀ ଥାନାରେ ମାମଲା କଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜ୍ୟପାଳଙ୍କ ପୁଅ ହୁଅନ୍ତୁ କି ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପୁଅ ହୁଅନ୍ତୁ, ସେମାନଙ୍କ ପାଇଁ ଆଇନ ଅଲଗା କି? ସେମାନେ କ’ଣ ଆଇନ ଉପରେ? ଯଦି ଏହା ସତ, ତା’ହାଲେ ଲୋକଙ୍କୁ ଜଣାନ୍ତୁ ଯେ କିଛି ଲୋକ ଆଇନ ଉପରେ ଅଛନ୍ତି। ସେମାନେ ଅପରାଧ କଲେ ମଧ୍ୟ ଦଣ୍ଡିତ ହେବେ ନାହିଁ। ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏମିତି ଭାବେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମୋ ସରକାରରେ କେହି ଆଇନ ଉପରେ ନଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ମୁଁ ଆଶା କରୁଛି ଏସବୁ ତାଙ୍କୁ ଅବଗତ କରାଯିବ। ନିକଟରେ ଜଣେ ନାବଳିକାକୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟାଘଟଣା ଚିନ୍ତାଜନକ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ରଥଯାତ୍ରା ସମୟରେ ଭୁଲ ପରିଚାଳନା ପାଇଁ ବଡ଼ ଠାକୁର ବଳଭଦ୍ର ତଳେ ପଡ଼ିଗଲେ। ଏହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଘାତ ଦେଇଥିଲା। ହେଲେ ଏଯାଏ ଏହି ଘଟଣାକୁ ନେଇ ତଦନ୍ତ ରିପୋର୍ଟ ନଆସିବା ବି ଦୁଃଖଦ ବିଷୟ। ସେହିପରି ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା ହୋଇଛି। ଖୋର୍ଦ୍ଧାରେ ଏହି ସାମ୍ପ୍ରଦାୟିକ ହିଂସା ଯୋଗୁଁ ହତ୍ୟା ବି ହେଲା। ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଓଡ଼ିଶା ଜଣାଶୁଣା। ଯେ କୌଣସି ପରିସ୍ଥିତିରେ ଏହା ବଜାୟ ରହିବା ନିଶ୍ଚିତ ଦରକାର। ଚିକିଟି ମଦମୃତ୍ୟୁ ଘଟଣାରେ ମଧ୍ୟ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ।

Breaking News