Report Card Odisha

| Daily Odia News

୩୭୦ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମ୍‌କୋର୍ଟରେ ଧାରା ୩୭୦ ନେଇ ଚାଲିଥିବା ଶୁଣାଣି ଶେଷ ହୋଇଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସମ୍ବିଧାନ ପୀଠ ଏହି ମାମଲାରେ ଶୁଣାଣି କରିଥିଲେ। ଏହି ସମ୍ବିଧାନ ପୀଠରେ ପ୍ରଧାନ ବିଚାରପତିଙ୍କ ସହିତ ଜଷ୍ଟିସ ସଂଜୟ କିଶନ କୌଲ, ଜଷ୍ଟିସଂ ସଂଜୀବ ଖାନ୍ନା, ଜଷ୍ଟିସ ବି.ଆର୍‌. ଗୱାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ ସାମିଲ ଅଛନ୍ତି। ମଙ୍ଗଳବାର ଶୁଣାଣିର ୧୬ତମ ତଥା ଅନ୍ତିମ ଦିବସ ଥିଲା। ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଏବଂ ଏହା ସପକ୍ଷରେ ବିଭିନ୍ନ ପକ୍ଷ ଦ୍ବାରା ଦଲିଲ ରଖାଯାଇଥିଲା। । ଶୁଣାଣି ଶେଷ ହେବା ସହ ଶୀର୍ଷ ଅଦାଲତ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମ୍‌କୋର୍ଟରେ ନେସ୍‌ନାଲ କନ୍‌ଫରେନ୍ସ ନେତା ତଥା ସାଂସଦ ମହମ୍ମଦ ଆକବର ଲୋନ ସତ୍ୟପାଠ ଦାଖଲ କରି ସମ୍ବିଧାନ ପ୍ରତି ତାଙ୍କର ନଷ୍ଠା ଓ ସମ୍ମାନ ଥିବା କହିଥିଲେ। ତେବେ ଜମ୍ମୁ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ନେଇ ଏହି ସତ୍ୟପାଠରେ କିଛି ନଥିବାରୁ ସଲିସିଟର ଜେନେରାଲ ଏହାକୁ ଏକ ପ୍ରହସନ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଆକବର ଲୋନ ବିଭିନ୍ନ ସମୟରେ ଭାରତ ବିରୋଧୀ ସ୍ଲୋଗାନ ଦେଇଆସିଛନ୍ତି ଏବଂ ଜମ୍ମୁ କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରୁନଥିବା କହିଛନ୍ତି। ଏବେ ଧାରା ୩୭୦ ଉଚ୍ଛେଦ ବିରୋଧରେ ସେ ଆବେଦନ କରିଥିବାରୁ ତାଙ୍କର ଆଭିମୁଖ୍ୟକୁ ନେଇ ସୁପ୍ରିମ୍‌କୋର୍ଟରେ ପ୍ରଶ୍ନ ଉଠିଥିଲା। କୋର୍ଟ ଏନେଇ ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ତେବେ ଏହି ସତ୍ୟପାଠରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପ୍ରତିଫଳିତ ହୋଇନଥିବାରୁ ଏହା କେବଳ ଲୋନ୍‌ଙ୍କ ଚାଲ୍‌ ବୋଲି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ। ବରିଷ୍ଠ ଆଇନଜୀବୀ ଜଫର ଶାହ ସମ୍ବିଧାନ ପୀଠକୁ ଭାରତ ସହିତ ଜମ୍ମୁ କାଶ୍ମୀର ବିଲୟର ଇତିହାସ ସଂପର୍କରେ କହିବା ସହ ଏହାର ଅଧିକାର ଓ ସାମ୍ବିଧାନିକ କ୍ଷମତା ସଂପର୍କରେ ଯୁକ୍ତି ରଖିଥିଲେ। ଏହା ପରେ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ କହିଥିଲେ ଯେ ଭାରତର ସମ୍ବିଧାନ ହିଁ ଜମ୍ମୁ କାଶ୍ମୀରର ଲୋକଙ୍କୁ ନିଜ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ କ୍ଷମତା ଦେଇଛି। ଶେଷ ଦିବସ ଶୁଣାଣିରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ତାଙ୍କ ଦଲିଲରେ କହିଥିଲେ ଯେ ଯଦି ସଂସଦକୁ ଧାରା ୩୫୬ ଅଧୀନରେ ବିଭାଜନକାରୀ ଶକ୍ତି ଦିଆଯିବ ତା’ହେଲେ କିଛି ବି ହୋଇପାରିବ। ସରକାର ଏକ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ କିଭଳି କରିପାରିବେ ବୋଲି ସିବଲ ପ୍ରଶ୍ନ କରିଛନ୍ତି।

Breaking News