ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମସ୍ୟା। ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ। ଗୁରୁବାର ତାଙ୍କୁ ତିହାର ଜେଲ୍ରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା। ଏଥିସହ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିଓ୍ବାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଆରଏସ ନେତ୍ରୀ କେ. କବିତାଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଅଦାଲତ। ଜୁଲାଇ ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ବଡ଼ ଆନ୍ଦୋଳନର ଡାକରା ଦେଇଛି। ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେଣୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆନ୍ଦୋଳନ କରିବ ବୋଲି ଆପ ପକ୍ଷରୁ ଘୋଷଣା କରାଯାଇଛି। କେଜ୍ରିୱାଲଙ୍କ ଆପ ଅଭିଯୋଗ କରି ଚାଲିଛି ଯେ ବିଜେପି ତାଙ୍କୁ ଜେଲ ଭିତରେ ହତ୍ୟା କରିବାକୁ ଚାହୁଁଛି। ଜୁନ ୩ରୁ ଜୁଲାଇ ୭ ତାରିଖ ମଧ୍ୟ କେଜ୍ରିୱାଲଙ୍କ ରକ୍ତ ଶର୍କରା ୨୬ଥର ହ୍ରାସ ପାଇଛି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କେହି ବି ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଯନ୍ତରମନ୍ତର ଠାରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ପ୍ରସଙ୍ଗ ନେଇ ବିଶାଳ ବିକ୍ଷୋଭ ସମାବେଶ କରିବ ବୋଲି ଆପ କହିଛି।
More Stories
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..