ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଦ୍ୱାରା ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ। ଭୋଗରାଇ,ବାଲିଆପାଳ,ବାଲେଶ୍ୱର ବସ୍ତା ଭଳି ତଳି ଅଞ୍ଚଳକୁ ବିପଦ ରହିଛି । ଅନ୍ୟପଟେ ଖୋର୍ଦ୍ଧା,ଦେଓଗଡ଼ ,ସମ୍ବଲପୁର,ବୌଦ୍ଧ ଏବଂ ସୋନପୁରରେ ମଧ୍ୟ ଆଗାମୀ ତିନି ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ବାଲେଶ୍ୱର , ଅନୁଗୁଳ, ଯାଜପୁର, ଭଦ୍ରକ ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ବି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ । ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷା ହେବ ।ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୩୦ ତାରିଖ ଯାଏ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।






More Stories
ବଢ଼ିବ ତାତି: ପାରଦ ଟପିବ ୪୩ ଡିଗ୍ରୀ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..